ଅହମ୍ମଦାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ଭାରତୀୟ ଦଳ ଶେଷ ଦିନିକିଆରେ ଇଂଲଣ୍ଡକୁ ଏକତରଫା ଭାବେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ୧୪୨ ରନରେ ହରାଇ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୩-୦ରେ କ୍ଲିନ ସୁଇପ୍ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶୁଭମନ ଗିଲଙ୍କ ୧୧୨ ରନର ଶତକୀୟ ଇନିଂସ ଓ ଶ୍ରେୟସ ଆୟର ୭୮ ରନ ଓ ବିରାଟ କୋହଲି ୫୨ ରନ ବଳରେ ୩୫୬ ରନ କରିଥିଲା। ଜବାବରେ ଇଂଲଣ୍ଡ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ୩୪.୨ ଓଭରରେ ୨୧୪ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଟମ୍ ବ୍ୟାଣ୍ଟନ ୩୮ ରନ ଓ ଗସ୍ ଅଟିଙ୍କସନ ୩୮ ରନ କରିଥିବା ବେଳେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି।
୩୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଇଂଲଣ୍ଡର ଦୁଇ ଓପନର ବେନ ଡକେଟ୍ ଓ ଫିଲିପ ସଲ୍ଟ ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ। ଉଭୟ ୬.୨ ଓଭରରେ ୬୦ ରନ ଯୋଡ଼ି ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ। ତେବେ ଡକେଟଙ୍କୁ ଆଉଟ୍ କରି ଅର୍ଶଦୀପ ସିଂ ଭାରତକୁ ଆଶ୍ଵସ୍ତି ଦେଇଥିଲେ। ଡକେଟ୍ ୨୨ ବଲ୍ରୁ ୮ ଚୌକା ସହ ୩୪ ରନ କରି ଅର୍ଶଦୀପ ସିଂଙ୍କ ଶିକାର ହୋଇଥିଲେ। ଏହାପରେ କ୍ରିଜରେ ଜମି ଆସୁଥିବା ଫିଲିପ୍ ସଲ୍ଟ ୨୩ ରନ କରି ଅର୍ଶଦୀପ ସିଂଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ୮୦ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ଇଂଲଣ୍ଡ ଇନିଂସ ଦିଗହରା ହୋଇ ପଡ଼ିଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।
ଟମ ବ୍ୟାଣ୍ଟନ ଓ ହ୍ୟାରି ବ୍ରୁକ ଇନିଂସ ସମ୍ଭାଳିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୪୬ ରନ ଯୋଡ଼ିଥିଲେ। ଟମ୍ ବ୍ୟାଣ୍ଟନ ୩୮ ରନର ଉପଯୋଗୀ ଇନିଂସ ଖେଳି କୁଲଦୀପ ଯାଦବଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଜୋ ରୁଟ୍ ୨୪ ରନ କରି ଆଉଟ୍ ହେବା ଇଂଲଣ୍ଡକୁ ବଡ଼ ଝଟକା ଦେଇଥିଲା। ଅଧିନାୟକ ଜୋସ୍ ବଟଲର(୬) ଓ ଲିୟାମ ଲିଭିଙ୍ଗଷ୍ଟୋନ(୯) କରି ଦଳକୁ ନିରାଶ କରିଥିଲେ। ହ୍ୟାରି ବ୍ରୁକ ୨୪ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ।
ନିମ୍ନକ୍ରମରେ ଗସ୍ ଅଟିଙ୍କସନ ବିସ୍ଫୋରକ ବ୍ୟାଟିଂ କରି ୧୯ ବଲ୍ ରୁ ୩୮ ରନର ଧୂଆଁଧାର ଖେଳିଥିଲେ। ଶେଷରେ ଇଂଲଣ୍ଡ ୩୪.୨ ଓବରରେ ୨୧୪ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ବୋଲିଂରେ ଅର୍ଶଦୀପ ସିଂ, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି। କୁଲଦୀପ ଯାଦବ ଓ ଓ୍ଵାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।