ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୫ର ତିନୋଟି କ୍ୱାର୍ଟର ଫାଇନାଲର ପରିଣାମ ଚତୁର୍ଥ ଦିନରେ ଆସି ସାରିଛି । ଆଉ ଗୋଟିଏ ନକଆଉଟ୍ ମ୍ୟାଚର ପରିଣାମ ଆଜି ଆସିବାର ସମ୍ଭାବନା ରହିଛି । ଏହି ପରି ଚଳିତ ରଣଜୀ ସିଜିନରେ ତିନୋଟି ଦଳ ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି । ଆଜି ଚତୁର୍ଥ ଦଳର ନାଁ ଘୋଷଣା ହୋଇପାରେ । ଚତୁର୍ଥ ଦଳ କେରଳ ହୋଇପାରେ, କାରଣ ଦଳ ପ୍ରଥମ ଇନିଂସ ଆଧାରରେ ଏକ ରନର ଅଗ୍ରଣୀ ହାସଲ କରିଛି । ତେବେ ମ୍ୟାଚରେ ଜମ୍ମୁ-କାଶ୍ମୀର କଡା ଟକ୍କର ଦେଉଛି ।
ମୁୁମ୍ବାଇ ବନାମ ହରିୟାଣା କ୍ୱାର୍ଟର ଫାଇନାଲ ମ୍ୟାଚକୁ ମୁମ୍ବାଇ ୧୫୨ ରନରେ ଜିତି ସେମି ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଓ ସୌରାଷ୍ଟ୍ର କ୍ୱାର୍ଟର ଫାଇନାଲ୍ ମ୍ୟାଚରେ ଗୁଜରାଟ ବିଜୟୀ ହୋଇ ଟପ୍-୪ରେ ପ୍ରବେଶ କରିଛି । ଗୁଜରାଟ ଉକ୍ତ ମ୍ୟାଚକୁ ଇନିଂସ ଓ ୯୮ ରନରେ ସୌରାଷ୍ଟ୍ରକୁ ହରାଇଛି । ତୃତୀୟ ମୁକାବିଲା ବିଦର୍ଭ ଓ ତାମିଲନାଡୁ ମଧ୍ୟରେ ଖେଳା ଯାଇଛି । ଏହି କ୍ୱାର୍ଟର ଫାଇନାଲରେ ବିଦର୍ଭ ୧୯୮ ରନରେ ତାମିଲନାଡୁକୁ ହରାଇ ତୃତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି । ଆଉ ଚତୁର୍ଥ କ୍ୱାର୍ଟର ଫାଇନାଲ୍ ମୁକାବିଲା କେରଳ ଓ ଜମ୍ମୁ-କାଶ୍ମୀର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚର ଫଳାଫଳ ଆଜି କିମ୍ବା ଆସନ୍ତାକାଲି ପଞ୍ଚମ ଦିନରେ ଆସିପାରେ ।
କେଳକୁ ମ୍ୟାଚ୍ ଜିତିବା ପାଇଁ ଦରକାର ୨୯୯ ରନ ଏବଂ ହାତରେ ରହିଛି ୮ ୱିକେଟ୍ । ଅନ୍ୟପଟେ ଜମ୍ମୁ-କାଶ୍ମୀରକୁ ସେମି ଫାଇନାଲରେ ପହଞ୍ଚିବାକୁ ହେଲେ କେରଳର ୮ ୱିକେଟ ଶୀଘ୍ର ନେବାକୁ ପଡିବ । ଏହି ମ୍ୟାଚର ବିଜେତା ପ୍ରଥମ ସେମି ଫାଇନାଲରେ ଗୁଜରାଟକୁ ଭେଟିବ । ସେହିପରି ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ମୁମ୍ବାଇ ଓ ବିଦର୍ଭ ମଧ୍ୟରେ ଖେଳାଯିବ । ସେମି ଫାଇନାଲ୍ ମ୍ୟାଚ୍ ଫେବୃଆରୀ ୧୭ରୁ ୨୧ ପର୍ଯ୍ୟନ୍ତ ଖେଳାଯିବ ।