କଟକ: ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜର ଫ୍ଲପ୍ ଶୋ ଉପରେ ଫୁଲଷ୍ଟପ ମାରିଛନ୍ତି । ଆଉ ଫର୍ମକୁ ଫେରିଛନ୍ତି ହିଟମ୍ୟାନ । ରୋହିତ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆରେ ବିସ୍ଫୋରକ ଶତକ ଅର୍ଜନ କରିଛନ୍ତି । ସେ ୯୦ ବଲରୁ ୧୨ ଚୌକା ଓ ୭ ଛକା ସହ ୧୧୯ ରନର ଶତକୀୟ ଇନିଂସ ଖେଳିଛନ୍ତି । ରୋହିତ ୭୬ ବଲରୁ ଦିନିକିଆରେ ୩୨ ଶତକ ପୂରଣ କରିଛନ୍ତି । ଏହି ଇନିଂସ ଜରିଆରେ ରୋହିତ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ରୋହିତ ଦିନିକିଆରେ ସବୁଠୁ କମ ଇନିଂସରେ ୩୨ ଶତକ ହାସଲ କରିବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି । ରୋହିତ ୨୫୯ ଇନିଂସରେ ଏହି ରେକର୍ଡ କରିଥିବା ବେଳେ ସଚିନ ୨୮୩ ଇନିଂସରେ ୩୨ ଦିନିକିଆ ଶତକ ହାସଲ କରିଥିଲେ । ବିରାଟ କୋହଲି ମାତ୍ର ୧୯୪ ଇନିଂସରେ ଏହି କାରନାମା କରି ଇତିହାସ ରଚିଥିଲେ । ୩୭ ବର୍ଷୀୟ ରୋହିତ ଓପନିଂ ବ୍ୟାଟର ଭାବେ ଦ୍ୱିତୀୟ ସର୍ବାଧିକ ରନ କରିବାରେ ଦ୍ୱିତୀୟ ଭାରତୀୟ କ୍ରିକେଟ୍ ପାଲଟିଛନ୍ତି । ରୋହିତ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୧୫ ହଜାର ୩୫୦ରୁ ଅଧିକ ରନ କରିଛନ୍ତି । ସେ ଏହି ମାମଲାରେ ସଚିନଙ୍କୁ ପଛରେ ପକାଇଛନ୍ତି । ସଚିନ ଓପନର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୫ ହଜାର ୩୩୫ ରନ କରିଛନ୍ତି । ତାଲିକାରେ ପୂର୍ବତନ ବିସ୍ଫୋରକ ବ୍ୟାଟର ରୋହିତ ଶର୍ମା ରହିଛନ୍ତି । ସେହ୍ୱାଗ ଓପନର ଭାବେ ୧୬ ହଜାର ୧୧୯ ରନ କରିଛନ୍ତି ।
ରୋହିତ ୩୦ ବର୍ଷ ବୟସ ପରେ ଭାରତ ପାଇଁ ଅଧିକ ଶତକ ହାସଲ କରିବାରେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଚିନ ୩୦ ବର୍ଷ ବୟସ ପରେ ୩୫ ଶତକ ହାସଲ କରିଥିବା ବେଳେ ରୋହିତ ୩୬ ଶତକ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ରୋହିତ ଦିନିକିଆ କ୍ରିକେଟରେ ସର୍ବାଧିକ ରନହାସଲକାରୀ ବ୍ୟାଟର ତାଲିକାର ଟପ୍-୧୦ରେ ପ୍ରବେଶ କରିଛନ୍ତି । ହିଟମ୍ୟାନ ୨୬୭ ଦିନିକିଆରେ ୧୦ ହଜାର ୯୮୫ ରନ କରି ରାହୁଲ ଦ୍ରାବିଡଙ୍କୁ ୧୧ଶ ସ୍ଥାନକୁ ଠେଲି ଦେଇଛନ୍ତି ।
ରୋହିତ ଶର୍ମାଙ୍କ ଦ୍ରୁତତମ ଦିନିକିଆ ଶତକ
୬୩ ବନାମ ଆଫଗାନିସ୍ତାନ, ଦିଲ୍ଲୀ ୨୦୨୩
୭୬ ବନାମ ଇଂଲଣ୍ଡ, କଟକ, ୨୦୨୫
୮୨ ବନାମ ଇଂଲଣ୍ଡ, ନର୍ଟିଂହମ, ୨୦୧୮
୮୨ ବନାମ ନ୍ୟୁଜିଲାଣ୍ଡ, ଇନ୍ଦୋର, ୨୦୨୩
୮୪ ବନାମ ୱେଷ୍ଟଇଣ୍ଡିଜ, ଗୌହାଟୀ ୨୦୧୮