ନୂଆଦିଲ୍ଲୀ : ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ମାତ୍ର ପ୍ରଥମ ଦୁଇଟି ମ୍ୟାଚରେ ଦଳର ବ୍ୟାଟିଂକ୍ରମରେ ଯେଉଁ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି, ସେଥିରେ ଟିମ୍ ମ୍ୟାନେଜମେଣ୍ଟର ଚିନ୍ତାଧାରା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଓପନିଂଠୁ ନେଇ ନିମ୍ନକ୍ରମ ପର୍ଯ୍ୟନ୍ତ ବ୍ୟାଟିଂ ଅର୍ଡରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାକୁ ନେଇ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କହିବା କଥା ତାଙ୍କୁ ଦଳରେ ଫ୍ଲେକ୍ସିବିଲିଟି ଦରକାର, ମାତ୍ର ୧୯୮୩ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କୃଷ୍ଣାମାଚାରୀ ଶ୍ରୀକାନ୍ତ କହିଛନ୍ତି ଯେ, ଗୌତମ ଗମ୍ଭୀର ଆପଣ ଯାହା କରୁଛନ୍ତି ତାହା ଠିକ୍ ନୁହେଁ ।
ନିଜର ୟୁଟ୍ୟୁବ ଚ୍ୟାନେଲରେ ଶ୍ରୀକାନ୍ତ ଗମ୍ଭୀରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଶ୍ରେୟସ ଆୟର ଭଲ ଫର୍ମରେ ଅଛନ୍ତି, ଯାହା ଦଳ ପାଇଁ ସକରାତ୍ମକ ବିଷୟ । ମାତ୍ର କେଏଲ ରାହୁଲଙ୍କ ସହ ଯାହା କରାଯାଉଛି ତାହା ଅତି ଦୁଭାର୍ଗ୍ୟପୂର୍ଣ୍ଣ । ଅକ୍ଷର ପଟେଲ୍ ୩୦ କିମ୍ବା ୪୦ ରନ କରୁଛନ୍ତି, କିନ୍ତୁ କେଏଲ ରାହୁଲଙ୍କ ସହ ଯାହା କରାଯାଉଛି ତାହା ଠିକ୍ ନୁହେଁ । ତାଙ୍କ ରେକର୍ଡ ଦେଖନ୍ତୁ, ସେ ନମ୍ବର ୫ରେ ଦମଦାର ପ୍ରଦର୍ଶନ କରିଛନ୍ତି, ରେକର୍ଡ ଚମତ୍କାର ରହିଛି । ମୋତେ ଜଣା ନାହିଁ ଦଳ ପ୍ରବନ୍ଧକ କେଏଲ ରାହୁଲଙ୍କ ବ୍ୟାଟିଂ କ୍ରମକୁ ନେଇ କଣ ଚିନ୍ତା କରୁଛନ୍ତି ।
ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ଭାରତୀୟ କୋଚ୍ କେଏଲ ରାହୁଲଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଖେଳାଇବା ନେଇ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ଠିକ୍ ନୁହେଁ । ଆପଣ ସର୍ବଦା ବାମହାତୀ-ଡାହାଣହାତୀର ଯେଉଁ ରଣନୀତି କରୁଛନ୍ତି ତାହା ସର୍ବଦା ଠିକ୍ ହୁଏ ନାହିଁ । ଅକ୍ଷର ପଟେଲଙ୍କୁ ନେଇ ମୋର କୌଣସି ଆପତ୍ତି ନାହିଁ, ସେ ତ ମିଳୁଥିବା ସୁଯୋଗର ଭରପୂର ଫାଇଦା ଉଠାଉଛନ୍ତି । କିନ୍ତୁ ରାହୁଲଙ୍କ ଆତ୍ମ ବିଶ୍ୱାସକୁ ଆପଣ କମ କରୁଛନ୍ତି । ବିଶ୍ୱସ୍ତରରେ ଦମଦାର ପ୍ରଦର୍ଶନ କରୁଥିବା ଖେଳାଳିଙ୍କ ସହିତ ଏହା ଅନ୍ୟାୟ ହେଉଛି ।