କଟକ: କଟକରେ କ୍ରିକେଟ୍ ଫିଭର । ଆଉ କିଛି ସମୟ ପରେ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ ଦଳ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଏହା ହେଉଛି ଦ୍ୱିତୀୟ ମୁକାବିଲା । ମ୍ୟାଚ୍ ପାଇଁ ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଯାଇଛନ୍ତି । ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି ।
ଭୁୁବନେଶ୍ୱର ମେ ଫେୟାର ହୋଟେଲରୁ ପ୍ରଥମେ ଇଂଲଣ୍ଡ ଦଳର ଖେଳାଳି କଟକ ଅଭିମୁଖେ ବାହାରିଥିଲେ । ଏହା ପରେ ଭାରତୀୟ କ୍ରିକେଟ୍ ଦଳ ବାହାରି ଥିଲେ । ଦୁଇ ଟିମର ଖେଳାଳି ଷ୍ଟାଡିୟମରେ ପ୍ରବେଶ କରି ସାରିଛନ୍ତି । ଆଉ କିଛି ସମୟ ପରେ ଖେଳାଳି ଅଭ୍ୟାସ ଆରମ୍ଭ କରିବେ । ଅପରାହ୍ଣ ୧ଟାରେ ଟସ୍ ପଡିବ ।
ଦୁଇ ଦଳର ଖେଳାଳିଙ୍କୁ ଦେଖିବା ପାଇଁ ଭୁବନେଶ୍ୱରରୁ କଟକ ମଧ୍ୟରେ ରାସ୍ତା ପାଶ୍ୱର୍ରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା । କ୍ରିକେଟ୍ ପ୍ରେମୀ ଟିମ୍ ଇଣ୍ଡିଆ ନାରା ଲଗାଉଥିବା ଦେଖିବାକୁ ମିଳିଥିଲା । ଦୁଇ ଖେଳାଳିଙ୍କୁ ନେବା ଆଣିବା ପାଇଁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ଡଲଫିନ ବସର ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ, ଦୀର୍ଗ ୫ ବର୍ଷ ପରେ ବାରବାଟୀକୁ ଦିନିକିଆ ମ୍ୟାଚ୍ ଫେରିଛି । ତେଣୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ସିରିଜରେ ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ବିଶେଷ କରି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ସଭିଙ୍କ ନଜର ରହିବ । କାରଣ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏହି ଦୁଇ ଖେଳାଳିଙ୍କୁ ଫର୍ମକୁ ଫେରିବା ବହୁତ ଜରୁରୀ ।ତେଣୁ ବାରବାଟୀରେ ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।