କଟକ: ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡର ଦମଦାର ବ୍ୟାଟିଂ ଜାରି ରହିଛି । ୩୫ ଓଭର ଖେଳ ଶେଷ ସୁଦ୍ଧା ଭ୍ରଣକାରୀ ଦଳ ୩ ୱିକେଟ୍ ହରାଇ ୨୦୦ ରନ କରିଛି । ବେନ ଡକେଟ୍ ୬୩ ରନ କରିଛନ୍ତି । ଜୋ ରୁଟ୍ ୪୬ ରନ କରି ଅପରାଜିତ ଥିବା ବେଳେ ଅଧିନାୟକ ଜୋସ ବଟଲର ୨୨ ରନ କରି ଖେଳୁଛନ୍ତି । ଫିଲିପ ସଲ୍ଟ ୨୬ ରନ କରି ଆଉଟ୍ ହୋଇଛନ୍ତି । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ୱିକେଟୁ ମିଳିଛି ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ୍ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ ନିରାଶ କରି ପ୍ରଥମ ୱିକେଟ୍ ପାଇଁ ୮୧ ରନ ଯୋଡିଥିଲେ । ସଲ୍ଟଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଅନ୍ୟପଟେ ଡକେଟ୍ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହିତ ୫୬ ବଲରୁ ୧୦ ଚୌକା ସହ ୬୫ ରନ କରି ଆଉଟ୍ ହୋଇଛନ୍ତି ।
ଏହା ପରେ ହ୍ୟାରି ବ୍ରୁକ ଓ ଜୋ ରୁଟ୍ ଦଳର ଇନିଂସ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ ପାଇଁ ୬୬ ରନ ଯୋଡି ଦଳର ସ୍ଥିତିକୁ ଆହୁରି ସୁଦୃଢ କରିଥିଲେ । ତେବେ ହ୍ୟାରି ବ୍ରୁକଙ୍କୁ ଆଉଟ୍ କରି ହର୍ଷିତ ରାଣା ଭାରତକୁ ବଡ ସଫଳତା ଦେଇଥିଲେ । ବ୍ରୁକ ୩୧ ରନ କରିଥିଲେ । ଏହା ପରେ ରୁଟ୍ ଓ ଅଧିନାୟକ ବଟଲର ଦଳର ସ୍କୋରକୁ ଆଗେଇ ନେଇଛନ୍ତି । ୩୫ ଓଭର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୨୦୦ ରନ କରିଛି । ଜୋ ରୁଟ୍ ୪୬ ରନ ଓ ବଟଲର ୨୨ ରନ ଖେଳୁଛନ୍ତି ।
ଏହା ପୂର୍ବରୁ ଆଜିର ମ୍ୟାଚରେ ଭ ।ରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ବିରାଟ କୋହଲି ଦଳକୁ ଫେରିବା ପରେ ଯଶସ୍ୱୀ ଜୟସ୍ୱାଲଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀ ଆଜି ଦିନିକିଆରେ ପଦାର୍ପଣ କରିଛନ୍ତି । କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି ।