କଟକ: ବାରବାଟୀ ଦିନିକିଆରେ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ଜାରି ରହିଛି । ରୋହିତ ଶର୍ମା ଦିନିକିଆରେ ୩୨ତମ ଶତକ ହାସଲ କରିଛନ୍ତି । ରୋହିତ ତାଙ୍କ ପ୍ରଶଂସକଙ୍କୁ ବାରବାଟୀରେ ଶତକ ଭେଟି ଦେଇଥିଲେ । ସେ ୯୦ଟି ବଲ୍ ଖେଳି ୧୧୯ ରନ୍ କରି ଆଉଟ୍ ହୋଇଛନ୍ତି । ଯେଉଁଥିରେ ୭ଟି ଛକା ଓ ୧୨ଟି ଚଉକା ସାମିଲ ଅଛି । ଏହାରି ମଧ୍ୟରେ ଘରୋଇ ଦଳର ୩ ଟି ୱିକେଟ୍ ପତ୍ତନ ଘଟିଛି । ଓପନର୍ ତଥା ଉପ ଅଧିନାୟକ ଶୁବମନ୍ ଗିଲ୍ ପ୍ରଥମେ କ୍ଲିନ୍ ବୋଲ୍ଡ ହୋଇ ପାଭିଲିୟନ୍ ଫେରିଛନ୍ତି । ଅନ୍ୟ ପକ୍ଷରେ ଦର୍ଶକଙ୍କୁ ନିରାଶ କରିଛନ୍ତି ବିରାଟ୍ କୋହଲି ।
ଇଂନିସ୍ ଆରମ୍ଭରୁ ଚମକିଥିଲା ହିଟ୍ ମ୍ୟାନ୍ ଏବଂ ଗିଲଙ୍କ ଯୋଡ଼ି । ଉଭୟ ଖେଳାଳି ଭଲ ପାଳି ଖେଳିଥିଲେ । ଆରମ୍ଭରୁ ବର୍ଷିଥିଲା ଚଉକା-ଛକା । ରୋହିତ ଶର୍ମା ଫଟାଫଟ୍ ଅର୍ଦ୍ଧ ଶତକ ମାରିଥିଲେ । ସେହିପରି ଶୁବମନ୍ ଗିଲ୍ ମଧ୍ୟ ପରେ ପରେ ଆଉ ଏକ ଅଦ୍ଧ ଶତକ ଯୋଡ଼ି ଥିଲେ । କିନ୍ତୁ ଏହି ଓପନର୍ ଯୋଡ଼ି ଅଧିକ ସମୟ ଧରି ତିଷ୍ଠି ରହି ପାରିନଥିଲା । ଭାରତକୁ ଲାଗିଥିଲା ପ୍ରଥମ ଝଟକା । ଗିଲ୍ ୫୨ ବଲରେ ୯ଟି ଚଉକା ଏବଂ ଗୋଟିଏ ଛକା ସହିତ ୬୦ ରନ୍ କରି ଜ୍ୟାମି ଓବର୍ଟନଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ ।
ତାଙ୍କ ପରେ ଆସିଥିଲେ ବିରାଟ କୋହଲି । କିନ୍ତ ବିରାଟ ତାଙ୍କ ପ୍ରସଂଶକଙ୍କୁ ନିରାଶ କରିଥିଲେ । ମାତ୍ର ୮ଟି ବଲ୍ ଖେଳି ୫ ରନ୍ କରି ପାଭିଲିୟନ୍ ଫେରିଥିଲେ । ଆଦିଲ ରାସିଦଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ବିରାଟ୍ ।
ଅନ୍ୟପକ୍ଷରେ ଲାଇଟ୍ ସମସ୍ୟା ପାଇଁ କିଛି ସମୟ ମ୍ୟାଚରେ ବାଧା ଉତ୍ପନ୍ନ ହୋଇଥିଲା । ରୋହିତ ଶର୍ମା ଓ ଉପ ଅଧିନାୟକ ଶୁବମନ ଗିଲ୍ ଦମଦାର ଆରମ୍ଭ କରିଥିବା ସମୟରେ ହଠାତ୍ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରୋହିତ । ୭ ନମ୍ବର ଓଭର୍ (୪୮/୦ (୬.୧)) ଚାଲୁଥିବାବେଳେ ଲାଇଟ୍ ବାଧା ସୃଷ୍ଟି କରିଥିଲା । କିଛି ସମୟ ପାଇଁ ମ୍ୟାଚ୍ ଅଟକି ଯାଇଥିଲା । ଫଳରେ ସମସ୍ତ ଖେଳାଳି ପିଚ୍ ରୁ ବାହାରି ପାଭିଲିୟନ୍ ଫେରି ଯାଇଥିଲେ । ତୁରନ୍ତ ଲାଇଟ୍ ମରାମତି କରାଯିବା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା ।