କଟକ: ଦୀର୍ଘ ଦିନ ପରେ ଫର୍ମକୁ ଫେରିଲେ ରୋହିତ ଶର୍ମା । ବାରବାଟୀରେ ଛକା-ଚୌକା ବର୍ଷା କଲେ ହିଟ୍ ମ୍ୟାନ । ଭାରତୀୟ ଅଧିନାୟକଙ୍କ ଶତକୀୟ ଇନିଂସ ବଳରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି । ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୩୦୫ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୪.୩ ଓଭରରେ ୬ ୱିକେଟ୍ ହରାଇ ହାସଲ କରି ନେଇଛି । ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ କବଜା କରିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି । ରୋହିତ ଶର୍ମା ୯୦ ବଲରୁ ୧୧୯ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଶୁଭମନ ଗିଲ୍ ୬୦ ରନ, ଶ୍ରେୟସ ଆୟର ୪୪ ରନ କରିଛନ୍ତି । ଅକ୍ଷର ପଟେଲ୍ ୪୧ ରନର ଅପରାଜିତ ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନ କରି ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ଜୋ ରୁଟ୍ ୬୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ବେନ ଡକେଟ୍ ୬୫ ରନର କରିଥିଲେ । ଲିୟାମ ଲିଭିଙ୍ଗଷ୍ଟୋନ ୪୧ ରନ, ଜୋସ ବଟଲର ୩୪ ଓ ହ୍ୟାରି ବ୍ରୁକ ୩୧ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩୫ ରନ ବିନିମୟରେ ୩ ସଫଳତା ପାଇଥିଲେ ।
୩୦୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତୀୟ ଦଳକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରି ବାରବାଟୀରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ । ବିଶେଷ କରି ରୋହିତ ଶର୍ମା ଦୀର୍ଘ ଦିନ ପରେ ଆଜି ଫର୍ମକୁ ଫେରି ନିଜର ପୁରୁଣା ରଙ୍ଗରେ ନଜର ଆସିଥିଲେ । ରୋହିତ ଚୌକା ଓ ଛକା ବର୍ଷା କରି ଚାଲିଥିବା ବେଳେ ଗିଲ୍ କଳାତ୍ମକ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟର ୧୬.୪ ଓଭରରେ ୧୩୬ ରନ ଯୋଡି ଭାରତ ବିଜୟରେ ମୂଳଦୁଆ ପକାଇଥିଲେ । ଗିଲ୍ ୫୨ ବଲରୁ ୯ ଚୌକା ଓ ୧ ଛକା ସହ ୬୦ ରନ କରି ଆଉଟ୍ ହୋଇଥିଲେ । ଆଶା କରାଯାଉଥିଲା ରୋହିତଙ୍କ ପରେ କୋହଲି ଫର୍ମକୁ ଫେରିବେ । ତେବେ କୋହଲି ୫ ରନ କରି ନିରାଶ କରିଥିଲେ ।
ଅନ୍ୟପଟେ ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ ଜାରି ରଖି ଦିନିକିଆ କ୍ରିକେଟରେ ୩୨ତମ ଶତକ ପୂରଣ କରିଥିଲେ । ରୋହିତ ଓ ଶ୍ରେୟସ ଆୟର ତୃତୀୟ ୱିକେଟ୍ ପାଇଁ ୭୦ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ । ରୋହିତ ୯୦ ବଲରୁ ୧୨ ଚୌକା ଓ ୭ ଛକା ସହ ୧୧୯ ରନର ଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ ।
ଶ୍ରେୟସ ଆୟର ୪୭ ବଲରୁ ୪୪ ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ କେଏଲ ରାହୁଲ ୧୦ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୦ ରନ କରି ଆଉଟ୍ ହୋଇଥିଲେ । ଉପର କ୍ରମରେ ବ୍ୟାଟିଂ ସୁଯୋଗ ପାଇଥିବା ଅକ୍ଷର ପଟେଲ ଏହାର ଭରପୂର ଫାଇଦା ଉଠାଇ ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ । ଜାଡେଜା ୧୧ ରନ କରି କ୍ରିଜରେ ଥିଲେ । ଭାରତ ୪୪.୩ ଓଭରରେ ୬ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଜେମି ଓଭରଟନ ୨୭ ରନ ଦେଇ ସର୍ବାଧିକ ୨ଟି ସଫଳତା ପାଇଥିଲେ ।