କଟକ: ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବ୍ୟାଟର ଆକର୍ଷଣୀୟ ବ୍ୟାଟିଂ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ୪୯.୫ ଓଭରରେ ୩୦୪ ରନ କରି ଅଲଆଉଟ୍ ହୋଇଛି । ଭାରତ ସାମ୍ନାରେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଛି । ଦଳ ପକ୍ଷରୁ ଜୋ ରୁଟ୍ ୬୯ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ବେନ ଡକେଟ୍ ୬୫ ରନ କରିଛନ୍ତି । ଲିୟାମ ଲିଭିଙ୍ଗଷ୍ଟୋନ ୪୧ ରନ, ଜୋସ ବଟଲର ୩୪ ଓ ହ୍ୟାରି ବ୍ରୁକ ୩୧ ରନ କରିଛନ୍ତି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩୫ ରନ ବିନିମୟରେ ୩ ସଫଳତା ପାଇଛନ୍ତି ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ଦୁଇ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ୍ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ ନିରାଶ କରି ପ୍ରଥମ ୱିକେଟ୍ ପାଇଁ ୮୧ ରନ ଯୋଡିଥିଲେ । ସଲ୍ଟଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଅନ୍ୟପଟେ ଡକେଟ୍ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହିତ ୫୬ ବଲରୁ ୧୦ ଚୌକା ସହ ୬୫ ରନ କରି ଆଉଟ୍ ହୋଇଛନ୍ତି ।
ଏହା ପରେ ହ୍ୟାରି ବ୍ରୁକ ଓ ଜୋ ରୁଟ୍ ଦଳର ଇନିଂସ ସମ୍ଭାଳିଥିଲେ । ଉଭୟ ତୃତୀୟ ୱିକେଟ ପାଇଁ ୬୬ ରନ ଯୋଡି ଦଳର ସ୍ଥିତିକୁ ଆହୁରି ସୁଦୃଢ କରିଥିଲେ । ତେବେ ହ୍ୟାରି ବ୍ରୁକଙ୍କୁ ଆଉଟ୍ କରି ହର୍ଷିତ ରାଣା ଭାରତକୁ ବଡ ସଫଳତା ଦେଇଥିଲେ । ବ୍ରୁକ ୩୧ ରନ କରିଥିଲେ । ଏହା ପରେ ରୁଟ୍ ଓ ଅଧିନାୟକ ବଟଲର ଦଳର ସ୍କୋରକୁ ଆଗେଇ ନେଇଥିଲେ । ଦୁଇ ବ୍ୟାଟର ଚତୁର୍ଥ ୱିକେଟ୍ ପାଇଁ ୫୧ ରନ ଯୋଡିଥିଲେ । ବଟଲର ୩୫ ବଲରୁ ୩୪ ରନ କରି ପାଭିଲିୟନ ଫେରିଥିଲେ । ଜୋ ରୁଟ୍ ଦମଦାର ବ୍ୟାଟିଂ କରି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୭୨ ବଲରୁ ୬ ଚୌକା ଜରିଆରେ ୬୯ ରନ କରି ଆଉଟ୍ ହୋଇଥିଲେ । ନିମ୍ନ କ୍ରମରେ ଲିୟାମ ଲିଭିଙ୍ଗଷ୍ଟୋନ ୪୧ ରନର ଉପଯୋଗୀ ଇନିଂସ ଖେଳିବାରୁ ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନ କରିଛି ।
ଏହା ପୂର୍ବରୁ ଆଜିର ମ୍ୟାଚରେ ଭ ।ରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ବିରାଟ କୋହଲି ଦଳକୁ ଫେରିବା ପରେ ଯଶସ୍ୱୀ ଜୟସ୍ୱାଲଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ବରୁଣ ଚକ୍ରବର୍ତ୍ତୀ ଆଜି ଦିନିକିଆରେ ପଦାର୍ପଣ କରିଛନ୍ତି । କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି ।