ଭୁବନେଶ୍ୱର: ବିଜେପି ଓଡ଼ିଶାରେ ସରକାର ଗଢିବା ୯ ମାସ ହୋଇଗଲାଣି । ତେବେ ଏହି ୯ ମାସ ଭିତରେ ମୋହନ ସରକାର କେତେ ଟଙ୍କାର ଋଣ କରିଛନ୍ତି, ସେନେଇ ଗୃହରେ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଭିନ୍ନ ଉତ୍ସରୁ ସରକାର ୨୧ହଜାର କୋଟିରୁ ଅଧିକ ଋଣ ନେଇଛନ୍ତି ।
ଗତ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର ଗଢିଥିଲା । ତେବେ ଜୁନରୁ ଏଯାବତ୍ ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୨୧,୧୭୭ କୋଟି ଟଙ୍କା ଋଣ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ଗତ ନଅ ମାସରେ ସରକାର ୧୪,୯୭୦ କୋଟି ଟଙ୍କାର ଋଣ ମଧ୍ୟ ପରିଶୋଧ କରିସାରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବିକ ରାଜ୍ୟ ସରକାର ଖୋଲା ବଜାରରୁ ୯,୦୦୦ କୋଟି ଟଙ୍କା ଋଣ ସଂଗ୍ରହ କରିଥିବା ବେଳେ କେନ୍ଦ୍ରରୁ ୭,୧୪୯.୫୬ କୋଟି ଟଙ୍କା ଋଣ ନେଇଛନ୍ତି। ସେହିପରି, ସରକାର ନାବାର୍ଡରୁ ୨,୨୬୧.୧୬ କୋଟି, ଓଏମବିଏଡିସିରୁ ୨,୭୫୦ କୋଟି, କ୍ୟାମ୍ପାରୁ ୨,୩୭୦ କୋଟି ଏବଂ ପ୍ରୋଭିଡେଣ୍ଟ ଫଣ୍ଡରୁ ୨୩୫୨.୭୩ କୋଟି ଟଙ୍କା ଋଣ କରିଛନ୍ତି। ରାଜ୍ୟ ସରକାର ଋଣ ନେଇଥିବା ପାଣ୍ଠିକୁ ଜଳସେଚନ, ଶକ୍ତି, ରାସ୍ତା ଯୋଗାଯୋଗ, ବିପର୍ଯ୍ୟୟ ପରିଚାଳନା ଏବଂ ସହରାଞ୍ଚଳ ଭିତ୍ତିଭୂମି ଭଳି ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରିଛନ୍ତି।