ଭୁବନେଶ୍ୱର: ଗତ ୮ ମାସ ଭିତରେ ୬ଟା ଜୀବନ ନେଲାଣି ‘ମୋ ବସ୍’ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଜୁନ୍ ୨୦୨୪ ପରଠାରୁ ଭୁବନେଶ୍ୱର, କଟକ ଏବଂ ପୁରୀ ଅଞ୍ଚଳରେ ‘ମୋ ବସ୍’ ସହିତ ହୋଇଥିବା ୧୯ଟି ଦୁର୍ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୮ ଜଣ ଆହତ ହୋଇଛନ୍ତି ।
ବିଜେଡି ବିଧାୟକ ପ୍ରଶ୍ନ କରି ପଚାରିଥିଲେ, ମୋ ବସ୍ ରେ ବେଗ ନିୟନ୍ତ୍ରଣ ଯନ୍ତ୍ର ଲାଗିଛି କି? ମୋ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଭୁବନେଶ୍ୱର ମହାନଗର ନିଗମ ଏବଂ ଏହାର ଆଖପାଖ ଅଞ୍ଚଳରେ କ୍ରୁଟ ପକ୍ଷରୁ ପରିଚାଳିତ ୩୭୫ଟି ମୋ ବସ୍ ଚଳାଚଳ କରୁଛି । ଇଲେକ୍ଟ୍ରି ମୋ ବସ ପାଇଁ ସହର ଭିତରେ ଘଣ୍ଟାପ୍ରତି ବେଗ ୩୫ କିମି ରହିଥିବା ବେଳେ, ଡିଜେଲ ବସ୍ ପାଇଁ ଘଣ୍ଟାପ୍ରତି ବେଗ ୪୦ କିମି ରଖାଯାଇଛି ।
ଏଥିସହିତ ଦୁର୍ଘଟଣାକୁ ଏଡାଇବା ପାଇଁ କ୍ରୁଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ମଦ୍ୟପାନ ଟେଷ୍ଟିଙ୍ଗ୍, ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ଟେନିଙ୍ଗ୍, ଆକ୍ସିଡେଣ୍ଟ କମିଟି ତିଆରି କରିବା ଭଳି ଅନେକ ପଦକ୍ଷେପ ଗ୍ରହଣ କ୍ରୁଟ ପକ୍ଷରୁ ଗ୍ରହଣ କରାଯାଇଥିବା ନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।