ଭୁୁବନେଶ୍ୱର: ପୁଣି ଥରେ ନବୀନ ନିବାସରେ ଭିକେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳିଛି । ବିଜେଡି ନେତା ମନ୍ମଥ ରାଉତରାୟ ଓ ତାଙ୍କ ନବ ବିବାହିତା ପତ୍ନୀଙ୍କ ସହ ପାଣ୍ଡ୍ୟାଙ୍କ ଫଟୋ ସାମ୍ନାକୁ ଆସିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହି ଫଟୋ ଦେଖିବା ପରେ ପୁଣି ସ୍ପଷ୍ଟ ହୋଇ ଯାଉଛି ଯେ ଏବେ ପାଣ୍ଡ୍ୟା ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହୁଛନ୍ତି ।
ଏବେ ବି ଭିକେ ପାଣ୍ଡିଆନ ଭିତିରିଆ ବିଜେଡି ପାଇଁ କାମ କରୁଥିବା କୁହାଯାଉଛି । ବିଜେଡି ନେତା ସାରଦା ପ୍ରସନ୍ନ ଜେନା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ, ପାଣ୍ଡିଆନଙ୍କ ସହ ଦଳର ଏବେ ବି ସଂପର୍କ ରହିଛି । କିନ୍ତୁ ଦଳ ଉପରେ ତାଙ୍କର ନିୟନ୍ତ୍ରଣ ସୂଚନାକୁ ସାରଦା ଖଣ୍ଡନ କରିଛନ୍ତି । ଭିକେ ପାଣ୍ଡିଆନ ବିଜେଡି ନେତୃତ୍ୱାଧୀନ ସରକାରଙ୍କ ଏକ ଅଂଶ ଥିଲେ । ତାଙ୍କର ଦଳ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତାଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି ।
ଉଲ୍ଲେଖନୀୟ ବିଜେଡି ନିର୍ବାଚନରେ ହାରିବା ପରେ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ । ତଥାପି ନବୀନ ନିବାସରେ ତାଙ୍କର ଉପସ୍ଥିତି ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି । ସାରଦା ଏହା ଉପରେ କହିଛନ୍ତି, କେବଳ ଜଣେ ସନ୍ନ୍ୟାସୀ ନେଇଛନ୍ତିମାନେ ସେ କଣ ହିମାଳୟ ଚାଲିଯିବେ ? ରାଜନୀତିରୁ ସନ୍ନ୍ୟାସ ନେବା ପରେ ଘରେ ରହିବା ଏବଂ ଲୋକଙ୍କ ସହିତ ଫଟୋ ଉଠାଇବାରେ ଆପତ୍ତି ନାହିଁ । ପାଣ୍ଡିଆନ ବାବୁ ଦଳ ପରିଚାଳନା କରୁଥିବା ଖବର ଭୁଲ୍ ଅଟେ ।
ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ନବୀନ ପଟ୍ଟନାୟକଙ୍କ ଚେହେରାରେ ନିର୍ବାଚନ ଲଢିଥିଲେ ମଧ୍ୟ ଦଳର ନେତୃତ୍ୱ ନେଇଥିଲେ ଭିକେ ପାଣ୍ଡିଆନ । ତାଙ୍କ ବିନା ଦଳରେ ପତ୍ର ଟିଏ ବି ହଲୁ ନ ଥିଲା । ପାଣ୍ଡିଆନଙ୍କୁ ଆଗରେ ରଖି ଦଳ ନିର୍ବାଚନ ଲଢିଥିଲା ଏବଂ ପରାଜିତ ହୋଇଥିଲା । ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଥିବା ସାଧାରଣଠୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଏବେ ବି ଲାଗି ରହିଛି ।
ଉଲ୍ଲେଖଯୋଗ୍ୟ, ପାଣ୍ଡିଆନ ବିଜେଡିର ପ୍ରଦର୍ଶନ ପାଇଁ ସାଧାରଣରେ କ୍ଷମା ପ୍ରାର୍ଥନା କରି କହିଥିଲେ, ଯଦି ମୋ ବିରୁଦ୍ଧରେ ଏହି ପ୍ରଚାର କାହାଣୀ ବିଜେଡିର ପରାଜୟରେ ଭୂମିକା ଗ୍ରହଣ କରିଥିବ ତେବେ ମୁଁ ଦୁଃଖିତ। ସେ ପଟ୍ଟନାୟକଙ୍କୁ ସହାୟତା କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ବୋଲି ଜୋର ଦେଇଥିଲେ ।