ଭୁବନେଶ୍ୱର : କିଛି ସମୟ ପାଇଁ ଏକ୍ସର ଗ୍ଲୋବାଲ୍ ଆଉଟେଜ୍। ଲଗାତାର ବନ୍ଦ ହୋଇଯାଉଥିଲା ଏକ୍ସ। ଦିନକ ଭିତରେ ଥରେ କି ଦୁଇ ଥର ନୁହେଁ ତିନି ତିନିଥର ଠପ୍ ହୋଇଗଲା ସର୍ବାଧିକ ବ୍ୟବହୃତ ହେଉଥିବା ବ୍ଲଗିଂ ପ୍ଲାଟଫର୍ମ ଏକ୍ସ। ପ୍ରଥମେ ଅପରାହ୍ନ ୩ ଟା ୩୦ ରେ ପ୍ରାୟ ୩୦ ମିନିଟ ଯାଇଁ ଏକ୍ସ ଡାଉନ ହୋଇଯାଇଥିଲା । ପୁଣି ସନ୍ଧ୍ୟା ୭ ଟାରେ ପ୍ରାୟ ୧ ଘଣ୍ଟା ପାଇଁ ଏବଂ ପରେ ରାତି ୮ଟା ୩୦ ରୁ ୧୦ ତା ୩୦ ପର୍ୟ୍ୟନ୍ତ ଏହା ଅଚଳ ହୋଇଥିଲା । ବନ୍ଦ ହୋଇଯିବା ପରେ ଏହାକୁ ନେଇ ସାମୟିକ ଭାବେ ଚିନ୍ତା ପ୍ରକାଶ କଲେ କୋଟି କୋଟି ୟୁଜରସ । ଏହାପରେ ରାତି ପ୍ରାୟ ୧୦ ଟା ୫୫ ରେ ସାମ୍ନାକୁ ଆସିଥିଲା ଏକ୍ସ ପ୍ରତିଷ୍ଠାତା ଏଲନ ମସ୍କଙ୍କ ପ୍ରତିକ୍ରିୟା ।
ମସ୍କ କହିଛନ୍ତି, ସାଇବର ଆକ୍ରମଣ ଯୋଗୁଁ ବାରମ୍ବାର ଏଭଳି ସମସ୍ୟା ଉପୁଜି ଥିଲା। ଆମେ ପ୍ରତିଦିନ ଏଭଳି ଆକ୍ରମଣର ସମ୍ମୁଖୀନ ହୋଇଆସୁଛୁ। ତେବେ ଗତକାଲି ହୋଇଥିବା ସମସ୍ୟା ପଛରେ କୌଣସି ବଡ ସାଇବର ଗୋଷ୍ଠୀ କିମ୍ବା ଦେଶ ସାମିଲ ଥିବା ସନ୍ଦେହ କରାଯାଉଛି।
ପୂର୍ବରୁ ଟ୍ବିଟର ଭାବେ ପରିଚିତ ଥିବା ଏକ୍ସ ସୋସିଆଲ୍ ସାଇଟ୍ କେବଳ ଭାରତ ନୁହେଁ, ସାରା ବିଶ୍ବରେ ଗତକାଲି ବିଭିନ୍ନ ସମୟରେ ଅଚଳ ହୋଇପଡିଥିଲା। ଡାଉନ ଡ଼ିଟେକ୍ଟରର ସୂଚନା ଅନୁଯାୟୀ ୪୧ ପ୍ରତିଶତ ୟୁଜରଙ୍କ ଆପରେ ସମସ୍ୟା ସୃଷ୍ଟି ହୋଇଥିଲା । ଏଥିସହ ଲଗାତାର ବନ୍ଦ ହେବାରୁ ବହୁ ସଂଖ୍ୟର ୟୁଜର୍ସ ମାନେ ଏହାକୁ ରିପୋର୍ଟ ମଧ୍ୟ କରିଥିଲେ। ଗତକାଲି ସେୟାର ମାର୍କେଟ ରେ ମଧ୍ୟ ଏହାର ପ୍ରଭାବ ପଡିଥିଲା। କିଛି ସମୟ ପାଇଁ ସେୟାର ମାର୍କେଟ ମଧ୍ୟ ବହୁ ତଳକୁ ଖସିଥିଲା । ୨୦୨୨ ରେ ଏଲନ ମସ୍କ ଏହାକୁ କିଣିବା ପରେ ଅନେକ ଅପଡେଟ ହୋଇଥିଲେ ମଧ୍ୟ ଏଭଳି ବଡ ଧରଣର ସମସ୍ୟା ଉପୁଜିନଥିଲା। ଅନ୍ୟପଟେ ୟୁଜରସ ମାନେ କିପରି ଆଗକୁ ସମସ୍ୟାର ସମ୍ମୁଖୀନ ନ ହେବେ ସେନେଇ ଚେଷ୍ଟା ଜାରି ରହିଛି ।