ମୁମ୍ବାଇ : ଆଜି ବଲିଉଡ ଗାୟିକା ଶ୍ରେୟା ଘୋଷାଲଙ୍କ ଜନ୍ମଦିନ । ଆଜି ଶ୍ରେୟା ୪୧ ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ସ୍ୱରରେ ସମସ୍ତେ ପାଗଳ ଶ୍ରେୟାଙ୍କୁ କୌଣସି ପରିଚୟ ଆବଶ୍ୟକତା ନାହିଁ । ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୧୨ ମାର୍ଚ୍ଚ ୧୯୮୪ରେ ଜନ୍ମଗ୍ରହଣ କରିଥିଲେ ଶ୍ରେୟା । ନିଜର ଯାଦୁଗରୀ ସ୍ୱରରେ ଅନେକ ଆଓ୍ଵାର୍ଡ ନିଜ ନାମରେ କରିସାରିଛନ୍ତି । ଶ୍ରେୟା ଏମିତି କିଛି କୃତ୍ତିତ୍ୱ ଅର୍ଜନ କରିଛନ୍ତି, ଯେଉଁଥିପାଇଁ କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ତାଙ୍କର ନାମ ରହିଛି। ତାଙ୍କ ଫ୍ୟାନ୍ସ ଲିଷ୍ଟରେ ଆମେରିକାର ଗର୍ଭନର ମଧ୍ୟ ସାମିଲ ରହିଛନ୍ତି ।
ପିଲାଟି ଦିନରୁ ସଙ୍ଗୀତ ପ୍ରତି ଆଗ୍ରହ
ପିଲାଟିବେଳୁ ସଙ୍ଗିତ ପ୍ରତି ରୁଚି ରଖିଥିବା ଶ୍ରେୟା ମାତ୍ର ୪ ବର୍ଷ ବୟସରୁ ସଙ୍ଗିତ ଶିକ୍ଷା ଆରମ୍ଭ କରି ଦେଇଥିଲେ । ଏହାପରେ ତାଙ୍କୁ ବଡ ସୁଯୋଗ ଦେଇଥିଲା ସାରେଗାମାପା ମଞ୍ଚ । ପ୍ରଥମେ ସେ ଯେତେବେଳେ ସେଠାରେ ଜଣେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ସେତେବେଳେ ସେହି ଶୋ’କୁ ହୋଷ୍ଟ କରୁଥିଲେ ସିଙ୍ଗର ସୋନୁ ନିଗମ । ଏଥିରେ ସେ ସଫଳ ନ ହୋଇଥିଲେ ବି ତାଙ୍କ କଣ୍ଠର ଯାଦୁଗରି ସମସ୍ତଙ୍କ ହୃଦୟରେ ବସା ବାନ୍ଧିଥିଲା । ଯେତେବେଳେ ଶ୍ରେୟା ଦ୍ୱିତୀୟ ଥର ସାରେଗାମାପା ମଞ୍ଚକୁ ଆସିଥିଲେ ସେତେବେଳେ ତାଙ୍କ ଉପରେ ନଜର ପଡିଥିଲା ବଲିଉଡର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କର । ସେହିଠାରୁ ହିଁ ସେ ଶ୍ରେୟାଙ୍କୁ ତାଙ୍କ ଫିଲ୍ମ ‘ଦେବଦାସ’ରେ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଶ୍ରେୟା ଘୋଷାଲ ଏମିତି ପ୍ରଥମ ଗାୟିକା ଯାହାଙ୍କୁ ମାତ୍ର ୨୬ ବର୍ଷ ବୟସରେ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା ।
ଆମେରିକାରେ ପାଳନ ହୁଏ ‘ଶ୍ରେୟା ଘୋଷାଲ ଡେ’
ଫିଲ୍ମ ଫେୟାର ଆୱାର୍ଡ ବିଜେତା ଶ୍ରେୟାଙ୍କ ନାମରେ ଆଜିବି ଆମେରିକାର ଓହିୟୋ ରାଜ୍ୟରେ ୨୬ ଜୁନକୁ ଶ୍ରେୟା ଘୋଷାଲ ଡେ’ ଭାବେ ପାଳନ କରାଯାଇଥାଏ । ଶ୍ରେୟା ଘୋଷାଲ ହିନ୍ଦୀ ବ୍ୟତୀତ ବେଙ୍ଗଲି, ତାମିଲ, ତେଲଗୁ, କନ୍ନଡ, ମରାଠି ଓ ଭୋଜପୁରୀ ଭାଷାରେ ଗୀତ ଗାଇ ସାରିଛନ୍ତି । ନିଜ ପର୍ସନାଲ ଲାଇଫକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ଶ୍ରେୟା ଶେଷରେ ତାଙ୍କ ପିଲାଦିନର ବନ୍ଧୁ ଶିଳାଦିତ୍ୟ ବନ୍ଦୋପାଧ୍ୟାୟଙ୍କୁ ୨୦୧୫ରେ ଲୁଚିଛପି ବିବାହ କରିଥିଲେ ବୋଲି କୁହାଯାଏ । ଏବେ ସେ ଗୋଟିଏ ପୁତ୍ର ସନ୍ତାନର ଜନନୀ ।
ଅଧିକ ପଢନ୍ତୁ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବହୁଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗୃତି, ସାମ୍ନାକୁ ଆସିଲା ମେହେନ୍ଦୀର ଫଟୋ