ଭୁବନେଶ୍ୱର : ରାଜ୍ଯରେ ବଢି ଚାଲିଛି ହାତୀଙ୍କ ଉପଦ୍ରବ । ଜଙ୍ଗଲ ଛାଡି ଗାଁ ଏବଂ ସହର ମୁହାଁ ହେଉଛନ୍ତି ହାତୀପଲ । ପ୍ରତିଦିନ ହାତୀ ଆତଙ୍କରେ ଧନଜୀବନ କ୍ଷତି ହେଉଛି । ଯାହାକୁ ନେଇ ମଙ୍ଗଳବାର ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଗତ ୧୦ ବର୍ଷରେ ହାତୀ ହଜାରରୁ ଅଧିକ ଜୀବନ ନେଇଥିବା ମନ୍ତ୍ରୀ କହିଛନ୍ତି।
ଏନେଇ ଲିଖିତ ଉତ୍ତରରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଗତ ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକଙ୍କ ଜୀବନ ଯାଇଛି ।ସେହିପରି ରାଜ୍ୟରେ ଗତ ୧୦ ବର୍ଷରେ ମୋଟ୍ ୮୮୮ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶିକାରରେ ୩୩ଟି ହାତୀଙ୍କ ଜୀବନ ଯାଇଥିବା ବେଳେ, ଯୋଜନାବଦ୍ଧ ଭାବେ ୧୬ଟି ହାତୀଙ୍କ ଜୀବନ ନିଆଯାଇଛି । ଏଥିସହିତ ରୋଗରେ ପୀଡିତ ହୋଇ ୩୦୬ ହାତୀଙ୍କର ମୃତ ହୋଇଛି । ସେହିପରି ବିଦ୍ୟୁତ ଆଘାତରେ ୧୫୮ ଓ ସଡ଼କ-ରେଳ ଦୁର୍ଘଟଣାରେ ୩୭ଟି ହାତୀ ମୃତ୍ୟୁବରଣ କରିଛନ୍ତି ।