ନୂଆଦିଲ୍ଲୀ: ଆଜି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଆଉ କିଛି ସମୟ ପରେ ଏହି ଟାଇଟଲ୍ ମ୍ୟାଚ୍ ଆରମ୍ଭ ହେବ । ୧୪ ତମ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳୁଛି । ଏହା ପୂର୍ବରୁ ଦଳ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିଲା । ଭାରତ ନିକଟରେ ନ୍ୟୁଜିଲାଣ୍ଡଠୁ ୨୫ ବର୍ଷ ପୁରୁଣା ହିସାବ ବରାବର କରିବାର ସୁଯୋଗ ରହିଛି ।
ଭାରତୀୟ ଦଳ ୧୯୮୩ରେ ପ୍ରଥମ ଥର ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚ୍ ଖେଳିଥିଲା । ଦଳ ୱେଷ୍ଟଇଣ୍ଡିଜକୁ ୪୩ ରନରେ ହରାଇ ପ୍ରଥମ ଥର ଆଇସିସି ଟାଇଟଲ୍ ଜିତିଥିଲା । ଏହା ପରେ ଦଳ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳିଥିଲା । ଏହି ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା । ନ୍ୟୁଜିଲାଣ୍ଡ ଭାରତକୁ ହରାଇ ଚାମ୍ପିଅନ ହୋଇଥିଲା । ଆଉ ଏବେ ୨୫ ବର୍ଷ ପରେ ଦୁଇ ଦଳ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ।
ଭାରତୀୟ ଦଳ ତୃତୀୟ ଥର ୨୦୦୨ରେ ଆଇସିସି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲା । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବାର ଥିଲା । କିନ୍ତୁ ବର୍ଷା ଯୋଗୁଁ ଦୁଇ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା । ଏହା ପରେ ଭାରତୀୟ ଦଳ ୨୦୦୩ ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଥିଲା । ଆଉ ଅଷ୍ଟ୍ରେଲିଆଠୁ ଦଳ ୧୨୫ ରନରେ ପରାଜୟ ଭୋଗିଥିଲା । ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୧୩ର ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା ।
ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା । ଏହା ପରେ ୨୦୧୧ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଦ୍ୱିତୀୟ ବିଶ୍ୱକପ୍ ଜିତିଥିଲା । ଭାରତ ଏହି ଟାଇଟଲ୍ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଜିତିଥିଲା । ଭାରତ ୨୦୧୪ ଟି-୨୦ ବିଶ୍ୱକପ୍ ଫାଇନାଲରେ ଶ୍ରୀଲଙ୍କାଠୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଏହା ପରେ ୨୦୧୯-୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଦଳ ନ୍ୟୁଜିଲାଣ୍ଡଠୁ ପରାଜିତ ହୋଇଥିଲା । ପୁଣି ୨୦୨୧-୨୩ ଡବ୍ଲ୍ୟୁଟିସି ଫାଇନାଲରେ ଦଳ ଅଷ୍ଟ୍ରେଲିଆଠୁ ହାରିଥିଲା । ଦିନିକିଆ ବିଶ୍ୱକପ୍ ୨୦୨୩ର ଫାଇନାଲରେ ବି ଅଷ୍ଟ୍ରେଲିଆ ଭାରତକୁ ହରାଇଥିଲା । ପୁଣି ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା ।