ଦୁବାଇ: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟସ୍ ମାମଲାରେ ରେକର୍ଡ ଖରାପ ହୋଇ ଚାଲିଛି । ରୋହିତ ରବିବାର ଭାରତ ବନାମ ନ୍ୟୁଜିଲାଣ୍ଡ ଫାଇନାଲ୍ ମ୍ୟାଚରେ ଟସ୍ ହାରିଛନ୍ତି । ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଏଥିସହ ରୋହିତ ଦିନିକିଆରେ ଲଗାତାର ୧୨ମ ଥର ଟସ୍ ହାରିଛନ୍ତି । ୨୦୨୩ ନଭେମ୍ବରରୁ ରୋହିତଙ୍କ ଟସ୍ ହାରିବାର ଧାରା ଜାରି ରହିଛି । ସେ ଟସ୍ ହାରିବାରେ ରେକର୍ଡର ସମକକ୍ଷ ହୋଇଛନ୍ତି । ରୋହିତ ଯୁଗ୍ମ ଭାବେ ଦିନିକିଆରେ ଲଗାତାର ଟସ୍ ହାରିବାରେ ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ବ୍ରାଏନ ଲାରାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଲାରା ୧୨ ଥର ଲଗାତାର ଟସ୍ ହାରିଛନ୍ତି ।
ବ୍ରାଏନ ଲାରା ୧୯୯୮ ଅକ୍ଟୋବରୁ ୧୯୯୯ ମେ ମାସ ପର୍ଯ୍ୟନ୍ତ ୧୨ ଦିନିକିଆ ମ୍ୟାଚରେ ଟସ୍ ହାରିଛନ୍ତି । ଆଉ ରୋହିତ ବି ଲଗାତାର ୧୨ ଥର ଟସ୍ ହାରିଲେଣି । ଏହି ତାଲିକାରେ ନେଦରଲାଣ୍ଡର ଅଧିନାୟକ ପିଟର ବୋରେନଙ୍କ ନାଁ ସାମିଲ । ସେ ଲଗାତର ୧୧ ମ୍ୟାଚରେ ଟସ୍ ହାରିଛନ୍ତି । ଟସ୍ ହାରିବାରେ ଭାରତୀୟ ଦଳର ଅଲୋଡା ରେକର୍ଡ ରହିଛି । ଭାରତ ଦିନିକିଆରେ ଲଗାତାର ୧୫ଟି ମ୍ୟାଚରେ ଟସ୍ ହାରିଛି । ଏଥିରୁ ୧୨ଥର ରୋହିତ ଶର୍ମା ଅଧିନାୟକ ଭାବେ ହାରିଛନ୍ତି ।
ବ୍ରାଏନ ଲାରା(ୱେଷ୍ଟଇଣ୍ଡିଜ)- ୧୨ ଥର
ରୋହିତ ଶର୍ମା(ଭାରତ)- ୧୨ ଥର
ପିଟର ବୋରେନ(ନେଦରଲାଣ୍ଡ)- ୧୧ ଥର
ରୋହିତ ଶର୍ମାଙ୍କ ଟସ୍ ହାରିବାର ଧାରା ୨୦୨୩ ଦିନିକିଆ ବିଶ୍ୱକପ୍ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ଆରମ୍ଭ ହୋଇଥିଲା । ଏହା ପରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍, ପୁଣି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଏବଂ ଏବେ ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଶର୍ମାଙ୍କ ଟସ୍ ହାରିବାର ଧାରା ଥମିବାର ନାଁ ନେଉନି । ଚାମ୍ପିଅନ୍ସ ଟ୍ରଫିରେ ଭାରତ ଥରେ ବି ଟସ୍ ଜିତି ପାରିନି । ତଥାପି ଦଳ ମ୍ୟାଚ୍ ପରେ ମ୍ୟାଚ୍ ଜିତି ଚାଲିଛି ।