ବେଙ୍ଗାଲୁରୁ: ସୁନା ଚୋରା ଚାଲାଣରେ ଗିରଫ ହୋଇଥିବା କନ୍ନଡ଼ ଅଭିନେତ୍ରୀ ତଥା ଆଇପିଏସଙ୍କ ଝିଅ ରନ୍ୟାଙ୍କୁ ନେଇ ରାଜସ୍ୱ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା ମିଳିଛି । ରନ୍ୟାଙ୍କ ସହଯୋଗୀଙ୍କୁ ଗିରଫ କରିଛି ଗୁଇନ୍ଦା ବିଭାଗ । ସେ ହେଲେ ରନ୍ୟାଙ୍କ ବନ୍ଧୁ ତରୁଣ ରାଜୁ ।
ତରୁଣ ରାଜୁ ବେଙ୍ଗାଲୁରୁର ଏକ ବ୍ୟବସାୟୀ ପରିବାରରୁ ଆସିଛନ୍ତି । ତାଙ୍କର ହୋଟେଲ ବ୍ୟବସାୟ ରହିଛି । ରାଜୁଙ୍କୁ ରବିବାର ରାତିରେ କୋରାମଙ୍ଗଲାର ଜାତୀୟ ଖେଳ ଗ୍ରାମରେ ଥିବା ତାଙ୍କ ବାସଭବନରେ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା ଏବଂ ତାଙ୍କୁ ଚାରି ଦିନ ପାଇଁ ରାଜସ୍ୱ ନିର୍ଦ୍ଦେଶାଳୟ ନିଜ ହେପାଜତକୁ ନେଇଛି । ରାଜୁ ଦୁବାଇରେ ରନ୍ୟାଙ୍କ ସହିତ ଥିଲା। ସେ ସୁନା କିଣାବିକାରେ ରନ୍ୟାଙ୍କୁ ସହଯୋଗ କରୁଥିବା ପୋଲିସ ସନ୍ଦେହ କରୁଛି । ଜେରା ସମୟରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଗିରଫ ପରେ ରନ୍ୟାଙ୍କୁ କୋର୍ଟରେ ହାଜର କରାଯାଇଛି । ରନ୍ୟା କୋର୍ଟରେ କାନ୍ଦିବା ଆରମ୍ଭ କରିଥିଲେ । ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ କାନ୍ଦି କାନ୍ଦି କହିଥିଲେ । ହାଜତରେ ରଖିବା ସମୟରେ ତାଙ୍କୁ ଧମକ ଦିଆଯାଇଛି ଏବଂ ନିର୍ଯାତନା ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ରନ୍ୟାଙ୍କ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ।
ବେଙ୍ଗାଲୁରୁର ରନ୍ୟା ରାଓଙ୍କୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୪.୫୬ କୋଟି ଟଙ୍କା ମୂଲ୍ୟର ୧୪ କିଲୋଗ୍ରାମ ସୁନା ବାର୍ ସହିତ ଗିରଫ କରାଯାଇଥିଲା। ସେ ଏକ ଚୋରା ଚାଲାଣ ନେଟୱାର୍କର ଅଂଶ ଥିଲେ ଏବଂ ଦୁବାଇରୁ ବେଙ୍ଗାଲୁରୁକୁ ସାମଗ୍ରୀ ଚୋରାଚାଲାଣ ପାଇଁ ବିପୁଳ କମିଶନ ନେଉଥିଲେ । ସେ ଗୋଟିଏ କିଲୋଗ୍ରାମ ସୁନା ଚୋରା ଚାଲାଣ ପାଇଁ ପ୍ରାୟ ୪-୫ ଲକ୍ଷ ଟଙ୍କା ନେଉଥିଲେ । ଗତ ଏକ ବର୍ଷ ମଧ୍ୟରେ ରନ୍ୟା ୨୭ ଥର ଦୁବାଇ ଯାଇଥିଲେ।