ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି । ଦଳର ତାରକା ମୁଖ୍ୟ ବୋଲର ଯଶପ୍ରୀତ ବୁମରା ଆହତଜନିତ ସମସ୍ୟା କାରଣରୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ଚାମ୍ପିଅନ୍ସ ଟ୍ରଫି ପାଇଁ ବିସିସିଆଇ ସଂଶୋଧିତ ଭାରତୀୟ ଦଳ ଘୋଷଣା କରିଛି । ଏଥିରେ ଦଳର ପୁରା ସମୀକରଣ ବଦଳି ଯାଇଥିବା ଦେଖିବାକୁ ମିଳିଛି ।
ବୁୁମରାଙ୍କ ସ୍ଥାନରେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି । ରାଣାଙ୍କ କେବଳ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି । ଏହା ବ୍ୟତୀତ ୧୫ ଜଣିଆ ଭାରତୀୟ ଦଳରୁ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ବାଦ୍ ଦିଆଯାଇଛି । ଜୟସ୍ୱାଲଙ୍କ ସ୍ଥାନରେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସ୍ଥାନ ମିଳିଛି । ବରୁଣ କଟକରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଦିନିକିଆ ମ୍ୟାଚରେ ପଦାର୍ପଣ କରିଥିଲେ ।
ବରୁଣ ଚକ୍ରବର୍ତ୍ତୀଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା ଯେ, ସେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହେବେ । ମାତ୍ର ଚୟନକର୍ତ୍ତା ବରୁଣଙ୍କୁ ସାମିଲ କରିବା ଚକ୍କରରେ ଜଣେ ବ୍ୟାଟରଙ୍କୁ ଦଳରୁ ବାଦ୍ ଦେଇଛନ୍ତି । ପ୍ରଶଂସକଙ୍କୁ ଆଶା ନ ଥିଲା ଯେ, ଯଶସ୍ୱୀ ଜୟସ୍ୱାଲଙ୍କୁ ଦଳରୁ ବାଦ୍ ଦିଆଯିବ ।
ଏହି ପରିବର୍ତ୍ତନ କାରଣରୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର ପୂରା କମ୍ବିନେସନ ପୂରା ବଦଳି ଯାଇଛି । ଦଳରେ ଏବେ ପାଞ୍ଚ ଜଣ ସ୍ପିନର ରହିଛନ୍ତି । ଏଥିରେ ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ନାମ ସାମିଲ । ଭଲ କଥା ବରୁଣଙ୍କୁ ବାଦ୍ ଦେଲେ ବାକି ଚାରି ସ୍ପିନରଙ୍କ ପାଖରେ ବ୍ୟାଟିଂ କରିବାର ଅନୁଭବ ରହିଛି । କିନ୍ତୁ ବୋଲରଙ୍କୁ ମୁଖ୍ୟ କାମ ବୋଲିଂ କରିବା ରହିବ, ଯାହା ଦୁବାଇ ପିଚ୍ ପାଇଁ ଜରୁରୀ ।
ଯଶସ୍ୱୀ ଜୟସ୍ୱାଲ ବାଦ୍ ପଡିବାରୁ ଏବେ ଦଳରେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଭାବେ କେବଳ ଦୁଇ ଜଣ ଓପନିଂ ବ୍ୟାଟର ରହିଛନ୍ତି । ବିରାଟ କୋହଲି ଓ ଶ୍ରେୟସ ଆୟର ବିଶେଷଜ୍ଞ ବ୍ୟାଟର ଭାବେ ଦଳରେ ଅଛନ୍ତି । କେଏଲ ରାହୁଲ ଓ ଋଷଭ ପନ୍ତ ଭାବେ ଦୁଇ ଜଣ ୱିକେଟ୍ କିପରଙ୍କୁ ଦଳରେ ସ୍ଥାନ ମିଳିଛି । ଦ୍ରୁତ ବୋଲର ହିସାବରେ ହର୍ଷିତ ରାଣା, ମହମ୍ମଦ ଶାମି ଓ ଅର୍ଶଦୀପ ସିଂ ସାମିଲ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲର ଦାୟିତ୍ୱ ନିର୍ବାହ କରିବେ ।
ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳର କମ୍ବିନେସନ
ଓପନର(୨)- ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍(ଉପ ଅଧିନାୟକ)
ବ୍ୟାଟର(୨)- ବିରାଟ କୋହଲି, ଶ୍ରେୟସ ଆୟର
ୱିକେଟ୍ କିପର(୨)- କେଏଲ ରାହୁଲ, ଋଷଭ ପନ୍ତ
ଅଲରାଉଣ୍ଡର(୧)- ହାର୍ଦ୍ଦିକ ପାଣ୍ଡ୍ୟା
ସ୍ପିନର(୫)- ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ
ଦ୍ରୁତ ବୋଲର- ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂ
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍(ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର
କେଏଲ ରାହୁଲ(ୱିକେଟ୍ କିପର), ଋଷଭ ପନ୍ତ( ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂ, ୱାଶିଂଟନ ସୁନ୍ଦର ।
ନନ ଟ୍ରାଭେଲିଂ ସବଷ୍ଟିଚ୍ୟୁଟ୍- ଯଶସ୍ୱୀ ଜୟସ୍ୱାଲ, ମହମ୍ମଦ ସିରାଜ ଓ ଶିବମ ଦୁବେ