ଅହମ୍ମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗର୍ଜିଲା ଶୁଭମନ ଗିଲ୍ଙ୍କ ବ୍ୟାଟ। ବ୍ୟାଟରଙ୍କ ଦମଦାର ବ୍ୟାଟିଂ ଫଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୩୫୬ ରନ କରିଛି। ଉପ ଅଧିନାୟକ ଶୁଭମନ ଗିଲ୍ ୧୧୨ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୭୮ ରନ ଓ ବିରାଟ କୋହଲି ୫୨ ରନ କରିଛନ୍ତି। କେଏଲ ରାହୁଲ ୪୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା ପାଇଁ ଇଂଲଣ୍ଡ ସମ୍ମୁଖରେ ୩୬୧ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ୬୪ ରନ ବ୍ୟୟରେ ୪ ଓ୍ଵିକେଟ୍ ନେଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦ୍ଵିତୀୟ ଓଭରରେ ବଡ଼ ଝଟକା ଲାଗିଥିଲା। ଅଧିନାୟକ ରୋହିତ ଶର୍ମା(୧) ଆଉଟ୍ ହୋଇଥିଲେ। ଏହା ପରେ ଶୁଭମନ ଗିଲ୍ ଓ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଦୁଇ ବ୍ୟାଟର ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୀର୍ଘ ସମୟ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ୫୫ ବଲରୁ ୭ ଚୌକା ଓ ୧ ଛକା ସହ ୫୨ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଗିଲ୍ ଓ କୋହଲି ଦ୍ଵିତୀୟ ଓ୍ଵିକେଟ୍ରେ ୧୧୬ ରନର ଶତକୀୟ ଭାଗିଦାରୀ ଯୋଡ଼ିଥିଲେ।
ଏହା ପରେ ଗିଲ୍ ଓ ଶ୍ରେୟସ ଆୟର ତୃତୀୟ ଓ୍ଵିକେଟ୍ରେ ୧୦୪ ରନ ଯୋଡ଼ିଥିଲେ। ଗିଲ୍ ନିଜର ଫର୍ମ ଜାରି ରଖି ଦିନିକିଆରେ ସପ୍ତମ ଶତକ ପୂରଣ କରିଥିଲେ। ସେ ୧୦୨ ବଲ୍ରୁ ୧୪ ଚୌକା ଓ ୩ ଛକା ସହ ୧୧୨ ରନ କରି ଆଉଟ୍ ହୋଇଛନ୍ତି। ଶ୍ରେୟସ ଆୟର ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସେ ୬୪ ବଲ୍ରୁ ୮ ଚୌକା ଓ ୨ ଛକା ଜରିଆରେ ୭୮ ରନ କରିଥିଲେ। କେଏଲ ରାହୁଲ ନିମ୍ନକ୍ରମରେ ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୧୭ ରନ ଓ ଅକ୍ଷର ପଟେଲ୍ ୧୩ ରନ କରିଥିଲେ।
କେଏଲ ରାହୁଲ ୨୯ ବଲ୍ରୁ ୪୦ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ହର୍ଷିତ ରାଣା ୧୩ ରନ ଓ ଓ୍ଵାଶିଂଟନ ସୁନ୍ଦର ୧୪ ରନ କରି ଆଉଟ୍ ହୋଇଥିଲେ। ଭାରତ ୫୦ ଓଭରରେ ୩୫୬ କରି ଶେଷ ବଲ୍ରେ ଅଲଆଉଟ୍ ହୋଇଛି। ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ୬୪ ରନ ଦେଇ ସର୍ବାଧିକ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।