ଭୁବନେଶ୍ୱର : ଆଇପିଏଲ୍ ପୂର୍ବରୁ ଆରସିବି ଟିମ କଲା ବଡ ଘୋଷଣା । ର୍ଘ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ ୨୦୨୫ ପାଇଁ ଦଳର ନୂଆ କ୍ୟାପଟେନ୍ ଘୋଷଣା କରିଛି । ବହୁ ଦିନରୁ ଚର୍ଚ୍ଚାରେ ଥିବା ବିରାଟ କୋହଲି ନୁହେଁ ବରଂ ରଜତ ପାଟିଦାରଙ୍କୁ ନୂଆ ଅଧିନାୟକ ଭାବେ ଦଳ ନିଯୁକ୍ତି କରିଛି ।
କିଛିଦିନ ହେବେ ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିଲା । କିନ୍ତୁ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଦଳ ପାଟିଦାରଙ୍କୁ ଅଧିନାୟକତ୍ୱ ପଦ ହସ୍ତାନ୍ତର କରିଛି । ୨୦୨୧ ମସିହାରେ ରଜତ ପାଟିଦାର ଆରସିବି(RCB)ରେ ଅଂଶ ହୋଇଥିଲେ । ସେବେଠାରୁ ସେ ଦଳରେ ରହିଆସିଛନ୍ତି । ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ, ଆରସିବି କେବଳ ତିନି ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା, ଯେଉଁଥିରେ ରଜତ ପାଟିଦାର ମଧ୍ୟ ଥିଲେ। ଦଳ ପାଟିଦାରଙ୍କୁ ୧୧ କୋଟି ଟଙ୍କାରେ ବଜାୟ ରଖିଥିଲା। ପାଟିଦାରଙ୍କ ବ୍ୟତୀତ, ବିରାଟ କୋହଲି ଏବଂ ଯଶ ଦୟାଲଙ୍କୁ ମଧ୍ୟ ରିଟେନ୍ ରଖିଥିଲା। କୋହଲିଙ୍କୁ ୨୧ କୋଟି ଟଙ୍କା ଏବଂ ଯଶ ଦୟାଲଙ୍କୁ ୫ କୋଟି ଟଙ୍କାରେ ରିଟେନ୍ କରାଯାଇଥିଲା।
ଗତଥର ସିଜିନ୍ ଅର୍ଥାତ୍ ଆଇପିଏଲ ୨୦୨୪ରେ, ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ୍ ଡୁ ପ୍ଲେସିସ୍ ଦଳର ଅଧିନାୟକ ଥିଲେ। କିନ୍ତୁ ଆଇପିଏଲ ୨୦୨୫ ପୂର୍ବରୁ ନିଲାମୀ ସମୟରେ ଦଳ ଡୁ ପ୍ଲେସିଙ୍କୁ ରିଟେନ୍ କରିନଥିଲା କିମ୍ବା ମେଗା ନିଲାମରେ ତାଙ୍କୁ ପୁଣି କିଣିନଥିଲା । ଏଥର ଡୁ ପ୍ଲେସିସ୍ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ। ଡୁ ପ୍ଲେସିସଙ୍କୁ ଦିଲ୍ଲୀ ଟିମ ୨ କୋଟି ଟଙ୍କାରେ କିଣିଛି।