ନୂଆଦିଲ୍ଲୀ: ମଣିପୁରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୨୦୨୫ ଫେବୃଆରୀ ୯ରେ ପଦରୁ ଇସ୍ତଫା ଦେବା ପରେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମଣିପୁରର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଓ ଅର୍ଦ୍ଧସାମରିକ ବଳର ଅଧିକାରୀ ଆଜି ରାଜଭବନରେ ବୈଠକ କରିଥିଲେ। ଏଥିରେ ରାଜ୍ୟର ଆଇନ ଶୃଙ୍ଖଳା ବିଷୟରେ ଆଲୋଚନା କରାଯାଇଛି।
ମଣିପୁରରେ ମେତେଇ ଓ କୁକି ସମୁଦାୟ ମଧ୍ୟରେ ହିଂସା ନ ଥିବାରୁ ରାଜ୍ୟରେ ଗମ୍ଭୀର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ନେଇ ଚାପ ପଡିବାରେ ଲାଗିଥିଲା। ଏହି କ୍ରମରେ ଫେବୃଆରୀ ୯ରେ ଏନ ବିରେନ ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ନେତାଙ୍କ ଘନ ଘନ ବୈଠକ ବସିଥିଲା। ମଣିପୁର ପ୍ରଭାରୀ ସମ୍ବିତ ପାତ୍ର ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ। ତେବେ ଏସବୁ ମଧ୍ୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।