ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ) ବୁଧବାର ଦିଲ୍ଲୀରେ ନିଜର ନୂଆ କାର୍ଯ୍ୟାଳୟ ପରିସର ‘କେଶବ କୁଞ୍ଜ’ର ଉଦଘାଟନ କରିଛନ୍ତି । ଏହି ଭବନ ଆଧୁନିକ ସୁବିଧାରେ ସୁସଜ୍ଜିତ ରହିଛି । ପ୍ରାୟ ୫ ଲକ୍ଷ ବର୍ଗ ଫୁଟରେ ନିର୍ମିତ ଏହି ଭବନରେ କୋଠା, ଅଡିଟରିୟମ, ଏକ ପୁସ୍ତକାଳୟ, ଏକ ହସ୍ପିଟାଲ୍ ଓ ଏକ ହନୁମାନ ମନ୍ଦିର ରହିଛି । ଏହି ଭବନର ନିର୍ମାଣ ସାର୍ବଜନୀନ ଦାନରୁ ସଂଗୃହିତ ୧୫୦ କୋଟି ଟଙ୍କା ବ୍ୟୟରେ ହୋଇଛି ।
କେଶବ କୁଞ୍ଜର ଡିଜାଇନ ଏମିତି କରାଯାଇଛି ଯେ, ଯେଉଁଠି କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ଓ ବୈଠକ ପାଇଁ ସବୁ ପ୍ରକାରର ସୁବିଧା ରହିଛି । ଗବେଷଣା ପାଇଁ ପୁସ୍ତକାଳୟ ରହିଥିବା ବେଳେ ଅଡିଟରିୟମରେ ବଡ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ପରିସରରେ ପାଞ୍ଚ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍ ରହିଛି ।
ଏହି ନୂତନ ଭବନ ଦିଲ୍ଲୀର ଝଣ୍ଡେବାଲାରେ ଅବସ୍ଥିତ । ଏହି କାର୍ଯ୍ୟାଳୟ ବିଜେପି ଭବନଠୁ ମଧ୍ୟ ବଡ ରହିଛି । ଏଥିରେ ଆରଏସଏସ କାର୍ଯ୍ୟାଳୟ ସହ ଅନ୍ୟ ସୁବିଧା ସୁଯୋଗ ରହିଛି । ଆରଏସଏସର ଏହି ନୂତନ ମୁଖ୍ୟାଳୟରେ ତିନୋଟି କୋଠା ରହିଛି । ଏହାର ନାମ ସାଧନା, ପ୍ରେରଣା ଓ ଅର୍ଚ୍ଚନା ରଖାଯାଇଛି । ଏହି କୋଠାରେ ୩୦୦ କୋଠରୀ ରହିଛି । ସାଧନା ବିଲ୍ଡିଂରେ ସଂଗଠନର କାର୍ଯ୍ୟାଳୟ ରହିଛି । ବାକି ଦୁଇଟି କୋଠାରେ ଆବାସୀୟ ପରିସର ରହିଛି । ଏହି ଦୁଇଟି ଆବାସୀୟ ବିଲ୍ଡିଂ ମଝିରେ ଏକ ବଡ ଖୋଲା ସ୍ଥାନ ରହିଛି, ଯେଉଁଥିରେ ଏକ ସୁନ୍ଦର ବଗିଚା ଓ ଆରଏସଏସର ସଂସ୍ଥାପକ କେଶବ ବାଲିରାମ ହେଡଗେବାରଙ୍କ ମୂର୍ତ୍ତି ରହିଛି ।
କେଶବ କୁଞ୍ଜ ପରିସରରେ ୧୩୫ କାରର ପାର୍କିଂ ସୁବିଧା ରହିଛି, ଯାହାକୁ ଭବିଷ୍ୟତରେ ୨୭୦ କାରର ପାର୍କିଂ ପର୍ଯ୍ୟନ୍ତ ବିସ୍ତାରିତ କରାଯିବ । ଆରଏସଏସ କାର୍ଯ୍ୟକର୍ତ୍ତା ଓ ସଂଘ ସହ ଜଡିତ ଲୋକେ ଏହି ନୂତନ ଭବନର ନିର୍ମାଣ ପାଇଁ ଅର୍ଥ ଦାନ କରିଛନ୍ତି । ପ୍ରାୟ ୭୫ ହଜାର ଲୋକ ୫ ଟଙ୍କାଠୁ ନେଇ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଦାନ କରିଛନ୍ତି ।