ୱାଶିଂଟନ୍: ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ସନ୍ଧ୍ୟାରେ ଆମେରିକାରେ ପହଞ୍ଚିଛନ୍ତି। ତାଙ୍କୁ ସ୍ୱାଗତ କରିବା ପାଇଁ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଯଥେଷ୍ଟ ଉତ୍ସାହ ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଲୋକ ତାଙ୍କୁ ଭେଟିବାକୁ ଆସିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭାରତୀୟ ପ୍ରବାସୀଙ୍କ ସ୍ନେହକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।
ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, 'ଶୀତ ମଧ୍ୟରେ ଉଷ୍ମ ସ୍ୱାଗତ! ଥଣ୍ଡା ପାଗ ସତ୍ତ୍ୱେ ୱାଶିଂଟନ ଡିସିରେ ରହୁଥିବା ଭାରତୀୟ ପ୍ରବାସୀମାନେ ମୋତେ ସ୍ୱତନ୍ତ୍ର ସ୍ୱାଗତ କରିଛନ୍ତି। ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଫ୍ରାନ୍ସ ପରେ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ସମୟରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭେଟିବେ। ସେ ବ୍ୟବସାୟୀ ଏଲନ୍ ମସ୍କଙ୍କୁ ମଧ୍ୟ ଭେଟିବେ। ଟ୍ରମ୍ପ୍ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଆମେରିକା ଗସ୍ତ।
ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ୱାଶିଂଟନ ଡିସିରେ ପହଞ୍ଚିବା ମାତ୍ରେ ବିମାନବନ୍ଦରରେ ତାଙ୍କର ସ୍ୱତନ୍ତ୍ର ସ୍ୱାଗତ ପାଇଁ ପ୍ରସ୍ତୁତି ଶେଷ ହୋଇଥିଲା। ଏହି ସ୍ୱାଗତର ଫଟୋ ସେୟାର କରି ସେ ଲେଖିଛନ୍ତି, 'ମୁଁ ନିକଟରେ ୱାଶିଂଟନ ଡିସିରେ ପହଞ୍ଚିଛି। ମୁଁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ଏବଂ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଇବାକୁ ଆଗ୍ରହୀ। ଉଭୟ ଦେଶ ନିଜ ନିଜ ଦେଶର ଉନ୍ନତ ଭବିଷ୍ୟତ ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ।
ଦୁଇ ଦିନିଆ ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଆମେରିକା ଅଭିମୁଖେ ଯାତ୍ରା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ମୋଦୀ ଆମେରିକାର କେତେକ କମ୍ପାନୀର ମୁଖ୍ୟଙ୍କୁ ଭେଟିବେ ଏବଂ ଏହାପରେ ଅପରାହ୍ନ ୪ଟାରେ (ୱାଶିଂଟନ ସମୟ) ଆମେରିକୀୟ ରାଷ୍ଟ୍ରପତିଙ୍କ ବାସଭବନ (ହ୍ୱାଇଟ୍ ହାଉସ୍)ରେ ପହଞ୍ଚିବେ। ସେଠାରେ ଟ୍ରମ୍ପଙ୍କ ସହ ଦୁଇ ପର୍ଯ୍ୟାୟ ବୈଠକ ହେବ। ଗୋଟିଏ ବୈଠକରେ ଅଧିକାରୀ ନଥିବା ବେଳେ ଅନ୍ୟଟିରେ ଉଭୟ ପକ୍ଷର ଅଧିକାରୀ ରହିବେ।
ଭାରତୀୟ ପ୍ରତିନିଧି ଦଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିସ୍ରି ଏବଂ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ସାମିଲ ହେବେ। ପ୍ରଧାନମନ୍ତ୍ରୀ ଆମେରିକାରେ ଥିବା ଭାରତୀୟ ସମ୍ପ୍ରଦାୟ ସହ ମଧ୍ୟ ସାକ୍ଷାତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଭାରତ-ଆମେରିକା ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବେ।
ଅଧିକ ପଢ଼ନ୍ତୁ: ଏହି ଦିନ ଦିଲ୍ଲୀରୁ ହଜ୍ ଯାତ୍ରୀଙ୍କ ପ୍ରଥମ ବିମାନ ଉଡ଼ାଣ କରିବ