ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନୂତନ ଆୟକର ବିଲ୍ ଗୁରୁବାର ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ଆୟକର ଆଇନର ଜଟିଳତାକୁ ଦୂର କରି ଆହୁରି ସରଳ କରିବାକୁ କେନ୍ଦ୍ର ସରକାର ଏହି ନୂତନ ବିଲ୍ ଆଣିବାକୁ ଯାଉଛନ୍ତି । ଏହି ବିଲ୍ ଲୋକସଭାରେ ମଧ୍ୟ ଗୃହୀତ ହୋଇଛି ।
ପୂର୍ବ ଆୟକର ଆଇନ ୧୯୬୧କୁ ବଦଳାଇବା ପାଇଁ ନୂତନ ଆୟକର ବିଲ୍ ଆଗତ କରାଯାଇଛି । ଏବେ ଏହାକୁ ସଂସଦୀୟ କମିଟିକୁ ପଠାଯିବ। କମିଟିର ସୁପାରିଶ ପରେ, ଏହାକୁ ସଂସଦରେ ପୁନଃ ଉପସ୍ଥାପନ କରାଯିବ। ସଂସଦର ଅନୁମୋଦନ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ନୂତନ ଆୟକର ଆଇନ କାର୍ୟ୍ୟକାରୀ ହେବ । ନୂତନ ଆଇନକୁ ଆୟକର ଆଇନ, ୨୦୨୫ ବୋଲି କୁହାଯିବ ।
ପୁରୁଣା ଆଇନରେ ମୋଟ ୮୮୦ ପୃଷ୍ଠା ଥିବାବେଳେ ନୂତନ ଆଇନରେ ୬୨୨ ପୃଷ୍ଠା ଅଛି । ଏଥିରେ ଅଧିକାଂଶ ଉପ-ବିଭାଗକୁ ଉଚ୍ଛେଦ କରାଯାଇଛି । ସେହିପରି ପୁରୁଣା ଏବଂ ଅନାବଶ୍ୟକ ବ୍ୟବସ୍ଥାଗୁଡ଼ିକୁ ହଟାଇ ଦିଆଯାଇଛି । ଏହା ଆଇନକୁ ଅଧିକ ପ୍ରାସଙ୍ଗିକ କରିଛି । ମାମଲା ହ୍ରାସ କରିବା ଏବଂ ଟିକସ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଉପରେ ଧ୍ୟାନ ଦିଆଯାଇଛି । ଏହାକୁ ସାଧାରଣ ନାଗରିକଙ୍କ ପାଇଁ ସହଜରେ ବୁଝିବା ଯୋଗ୍ୟ ହୋଇଛି ।
ସେହିପରି ନୂତନ ଆଇନରେ ଶବ୍ଦଗୁଡ଼ିକୁ ସରଳୀକୃତ କରାଯାଇଛି, ଯାହାକି ପୁରୁଣା ଆଇନରେ ଜଟିଳ ଶବ୍ଦର ଅଧିକ ବ୍ୟବହାର ହୋଇଛି । ଫଳରେ ସାଧାରଣ ଲୋକଙ୍କ ପାଇଁ ଆଇନ ପଢ଼ିବା ଏବଂ ବୁଝିବା ସହଜ ହୋଇଯିବ ।
ସେହିପରି ଆସେସମେଣ୍ଟ ଇୟର୍ ବା 'ମୂଲ୍ୟାୟନ ବର୍ଷ' ବଦଳରେ ଟ୍ୟାକ୍ସ ଇୟର୍ ବା 'କର ବର୍ଷ' ହେବ । ଆର୍ଥିକ ବର୍ଷ ପରି ଟିକସ ବର୍ଷ ୧ ଏପ୍ରିଲରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବ । ଯଦି ଏକ ବ୍ୟବସାୟ ମଝିରେ ଆରମ୍ଭ ହୁଏ, ତେବେ ଏହାର ଟିକସ ବର୍ଷ ସେହି ଆର୍ଥିକ ବର୍ଷରେ ଶେଷ ହେବ ।
ଏବେ କ୍ରିପ୍ଟୋକରେନ୍ସି ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସମ୍ପତ୍ତିକୁ 'ପୁଞ୍ଜି ସମ୍ପତ୍ତି' ଭାବରେ ବିବେଚନା କରାଯିବ । ଏହା ଉପରେ ଟିକସ ଲାଗୁ ହେବ । ଏହା ଡିଜିଟାଲ୍ ସମ୍ପତ୍ତି ଉପରେ ଟିକସ ବ୍ୟବସ୍ଥାରେ ଅଧିକ ସ୍ପଷ୍ଟତା ଆଣିବ । ଟିଡିଏସ୍ ଏବଂ ପ୍ରେଜମ୍ପ୍ଟିଭ୍ ଟ୍ୟାକ୍ସେସନ୍କୁ (Presumptive Taxation) ସାରଣୀ ଫର୍ମାଟ ବା ଟେବୁଲ ଫର୍ମାଟରେ ପ୍ରଚଳନ କରାଯାଇଛି । ଏହା କରଦାତାମାନଙ୍କୁ କେତେ ଟିକସ ଦେବାକୁ ପଡିବ ତାହା ବୁଝିବା ସହଜ କରିବ । ଏବେ ଟିକସ ବିବାଦର ଶୀଘ୍ର ସମାଧାନ ପାଇଁ DRP ନିଷ୍ପତ୍ତିଗୁଡ଼ିକୁ ସ୍ପଷ୍ଟ ଭାବରେ ଉପସ୍ଥାପିତ କରାଯିବ । ଏହା ଅନାବଶ୍ୟକ ମାମଲାକୁ ହ୍ରାସ କରିବ।
ଅନ୍ୟପକ୍ଷରେ ସରକାର ନୂତନ ଟିକସ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛନ୍ତି, କିନ୍ତୁ ପୁରୁଣା ଟିକସ ବ୍ୟବସ୍ଥା ମଧ୍ୟ ଜାରି ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବରୁ କହିସାରିଛନ୍ତି ଯେ ସରକାରଙ୍କର ବର୍ତ୍ତମାନ ପୁରୁଣା ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ନୂତନ ଆୟକର ବିଲ୍ ଅନୁଯାୟୀ ସରକାର ବିଚାରାଧୀନ ଟିକସ ମୂଲ୍ୟାୟନକୁ ସମାପ୍ତ କରିବେ ନାହିଁ । ପୁରୁଣା ବ୍ୟବସ୍ଥା ଅନୁସାରେ ସେଗୁଡ଼ିକର ସମାଧାନ କରାଯିବ ।
ନୂତନ ଆଇନରେ ଅନେକ ନିୟମକୁ ସରଳ କରାଯାଇଛି । ଏହାଦ୍ୱାର ଏ ସଂକ୍ରାନ୍ତୀୟ ମାମଲା ଗୁଡ଼ିକ ହ୍ରାସ ପାଇବ, ଯାହା ଫଳରେ ଟିକସ ବିବାଦର ଶୀଘ୍ର ସମାଧାନ ହୋଇପାରିବ । ଏହା ସାଧାରଣ ଜନତାଙ୍କ ସହିତ ସରକାରଙ୍କୁ ମଧ୍ୟ ଲାଭ ଦେବ।