ନୂଆଦିଲ୍ଲୀ: ବଜେଟ୍ ଭିତରେ ଆଜି ଲୋକସଭାରେ ଆଗତ ହେବ ନୂଆ ଆଇଟି ବିଲ୍ । ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ପରିବର୍ତ୍ତେ ଏହି ବିଲ୍ ନୂଆ ଭାବେ କାର୍ଯ୍ୟକାରୀ ହେବ । ୬୩ ବର୍ଷ ପରେ ବଦଳିବାକୁ ଯାଉଥିବା ଏହି ବିଲରେ ଅନେକ ପରିବର୍ତ୍ତନ କରାଯାଇଛି । ଆୟକର ଆଇନ ୨୦୨୫କୁ ପୂର୍ବ ଅପେକ୍ଷା ସରଳ, ସ୍ୱଚ୍ଛ ଏବଂ ସାଧାରଣ କରଦାତାଙ୍କ ବୁଝିବା ଭଳି କରାଯାଇଛି। ଏଥିରେ ଡିଜିଟାଇଜେସନ୍ ଠାରୁ ଆରମ୍ଭ କରି ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ଉନ୍ନତି ଏବଂ ଟିକସ ଫାଙ୍କି ନେଇ ନିୟମକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।
ବୁଧବାର ଏହି ବିଲ୍ର ଡ୍ରାଫ୍ଟ ଜାରି କରାଯାଇଛି। ନୂତନ ଆୟକର ବିଲରେ ପ୍ରଥମ ଏବଂ ପ୍ରମୁଖ ପରିବର୍ତ୍ତନ ହେଉଛି ଯେ, ଏହାକୁ ସାଧାରଣ ଲୋକଙ୍କ ବୁଝିବା ପାଇଁ ପୂର୍ବ ଅପେକ୍ଷା ସହଜ ଶବ୍ଦ ସହିତ ଅଧିକ ସଂକ୍ଷିପ୍ତ କରାଯାଇଛି। ଉଦାହରଣ ସ୍ୱରୂପ, ୧୯୬୧ ଆୟକର ବିଲ୍ ୮୮୦ ପୃଷ୍ଠା ଥିଲା, କିନ୍ତୁ ଛଅ ଦଶନ୍ଧି ପରେ, ଏଥିରେ ପୃଷ୍ଠା ସଂଖ୍ୟା ଏବେ ୬୨୨କୁ ହ୍ରାସ ପାଇଛି। ନୂତନ ଟିକସ ବିଲରେ ୫୩୬ଟି ଧାରା ଏବଂ ୨୩ଟି ଅଧ୍ୟାୟ ଅଛି। ହେଲେ ପୁରୁଣା ଆଇଟି ଆକ୍ଟ ୮୮୦ ପୃଷ୍ଠା ବିଶିଷ୍ଟ ହୋଇଥିବାବେଳେ ସେଥିରେ ୧୪ଟି ସେଡ୍ୟୁଲ ରହିଥିଲା। ସେହିପରି ପୁରୁଣା ଆଇନରେ ୨୯୮ଟି ଧାରା ରହିଥିଲା ।
ଗତ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଭାଷଣରେ ନୂତନ ଆଇଟି ବିଲ୍ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଏହା ଅତି ସରଳ ଭାଷାରେ ରହିଛି, ଯାହାକୁ ଲୋକମାନେ ଅତି ସହଜରେ ବୁଝିପାରିବେ। ପୁରୁଣା ଆୟକର ଆଇନ ଅନୁଯାୟୀ ବ୍ୟବହୃତ ହେଉଥିବା ଫାଇନାନ୍ସିଆଲ ଇୟର, ଆସେସ୍ମେଣ୍ଟ ଇୟର ଆଦି ଟର୍ମ ବଦଳରେ ନୂତନ ଆଇଟି ବିଲ୍ରେ କେବଳ ଗୋଟିଏ, ଟାକ୍ସ ଇୟର ଟର୍ମ ବ୍ୟବହୃତ ହେବ। ନୂତନ ଆଇଟି ବିଲ୍, ୨୦୨୫କୁ ୨୦୨୬ ଏପ୍ରିଲରୁ ଲାଗୁକରିବାକୁ କେନ୍ଦ୍ର ସରକାରଙ୍କର ପ୍ରସ୍ତାବ ରହିଛି।
ନୂତନ ଆୟକର ବିଲ୍ ଅନୁଯାୟୀ, ପେନସନ, NPS ଅବଦାନ ଏବଂ ବୀମା ଉପରେ ଟିକସ ଛାଡ଼ ଜାରି ରହିବ। ELSS ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ଉପରେ ମଧ୍ୟ ଟିକସ ରିହାତି ଦିଆଯିବ। ସେହିପରି ଟିକସ ଫାଙ୍କିବା ଲୋକଙ୍କ ଉପରେ ଅଧିକ କଠୋରତା ଏବଂ ଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଜାଣିଶୁଣି ଟିକସ ଫାଙ୍କି ଦିଅନ୍ତି ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇପାରେ। ଟିକସ ପୈଠ ନକରିବା ଦ୍ୱାରା ଅଧିକ ସୁଧ ଏବଂ ଜରିମାନା ଲାଗିପାରେ।
ଅଧିକ ପଢନ୍ତୁ: ବଜେଟ୍ ଅଧିବେଶନ: ରାଜ୍ୟସଭାରେ ଉପସ୍ଥାପନ ହେଲା ୱକ୍ଫ୍ ଉପରେ ଜେପିସିର ରିପୋର୍ଟ
କେନ୍ଦ୍ର ସରକାର ନୂତନ ଟିକସ ବିଲ୍ ମାଧ୍ୟମରେ ବର୍ତ୍ତମାନର ଟିକସ ବ୍ୟବସ୍ଥାକୁ ଡିଜିଟାଲ୍ ଏବଂ ଅଧିକ ସ୍ୱଚ୍ଛ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଇ-କେୱାଇସି ଏବଂ ଅନଲାଇନ୍ ଟିକସ ପେମେଣ୍ଟକୁ ବାଧ୍ୟତାମୂଳକ କରାଯାଉଛି। ଇ-ଫାଇଲିଂକୁ ବାଧ୍ୟତାମୂଳକ କରିବା ଦ୍ୱାରା ଟିକସ ଦେୟରେ ସ୍ୱଚ୍ଛତା ବୃଦ୍ଧି ପାଇବ। ନୂତନ ଟିକସ ବିଲରେ, କିଛି ସର୍ତ୍ତ ଅନୁଯାୟୀ କୃଷି ଆୟକୁ ଟିକସ ମୁକ୍ତ ରଖାଯାଇଛି। ଧାର୍ମିକ ଟ୍ରଷ୍ଟ, ଅନୁଷ୍ଠାନ ଏବଂ ଦାନକୁ ଦିଆଯାଇଥିବା ଟଙ୍କା ଉପରେ ଟିକସ ଛାଡ଼ ଉପଲବ୍ଧ ହେବ। ଏହା ସହିତ, ଇଲେକ୍ଟୋରାଲ୍ ଟ୍ରଷ୍ଟକୁ ମଧ୍ୟ ଟିକସରୁ ମୁକ୍ତ କରାଯାଇଛି।