କୋରାପୁଟ: ପଞ୍ଚାୟତ କାର୍ଯ୍ୟାଳୟର ଜଣେ ସାଧାରଣ ଆକାଉଣ୍ଟାଣ୍ଟ୍ ଏବଂ ଡାଟା ଏଣ୍ଟ୍ରି ଅପରେଟର୍ ଭାବେ କାମ କରୁଥିବା ବ୍ୟକ୍ତି ଠୁଳ କରିଛନ୍ତି ଅମାପ ସମ୍ପତ୍ତି । ୧୫ଟି ପ୍ଲଟ୍ ହାତେଇବା ସହିତ ରଖିଛନ୍ତି ଟ୍ରାକ୍ଟର୍ ଠାରୁ ଆରମ୍ଭ କରି ମିକ୍ସଚର୍ ମେସିନ୍ । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ବାଟସାନ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ୍ ତଥା ଡାଟା ଏଣ୍ଟ୍ରି ଅପରେଟର୍ (ADEO) ଏସ୍. ପାର୍ଥ ସାରଥୀ ବିଷୋଇଙ୍କ ସମ୍ପତ୍ତି ତାଲିକା ଦେଖିଲେ ଆଖି ଖୋସି ହୋଇପଡ଼ିବ । ଭିଜିଲାନ୍ସ ପକ୍ଷରୁ ଗୁରୁବାର ସକାଳୁ ହୋଇଥିବା ଚଢ଼ଉରେ ଏହି ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ସୂଚନା ମିଳିଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏଡିଇଓଙ୍କର ୭ଟି ଠିକଣାରେ ଏକକାଳୀନ ଚଢ଼ଉ କରିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ନିଜ ଘର, ଭାଇ ଘର ଓ ସମ୍ପର୍କୀୟଙ୍କ ଘର, ଚମ୍ପିଆରେ ଥିବା କାଜୁ ପ୍ରୋସେସିଂ ୟୁନିଟ୍, ବୋଲିଗୁମ୍ମାରେ ଥିବା ତିନି ମହଲା କୋଠା ଏବଂ ବାଟସାନ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି ।
ତାଙ୍କର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ପାଇଲୋ ସାହିରେ ଗୋଟିଏ ତିନି ମହଲା କୋଠା ଏବଂ ଚମ୍ପିଆରେ ୨ଟି କୋଠା ରହିଛି । ସେହିପରି ବୋରିଗୁମ୍ମା, ଚାମ୍ପିଆ ଏବଂ ନବରଙ୍ଗପୁର ଜିଲ୍ଲା ଗାନ୍ଧୀ ନଗରରେ ମୋଟ ୧୫ଟି ପ୍ଲଟ୍ ରହିଛି । ସେହିପରି ଚମ୍ପିଆରେ କ୍ରୀଷ୍ଣା ଏଣ୍ଟରପ୍ରାଇଜେସ୍ ନାମରେ ରହିଛି କାଜୁ ପ୍ରକ୍ରିୟାକରଣ ୟୁନିଟ୍ । ଯାହାକି ୮୫୬୧ ବର୍ଗ ଫୁଟ୍ ଏରିଆରେ ରହିଛି ।
ଗାଡ଼ି ତାଲିକା-
ଖାଲି ସେତିକି ନୁହେଁ ଏଡିଇଓଙ୍କ ପାଖରେ ଅଛି ୨ଟି ସିମେଣ୍ଟ ଗୋଳା ମିକ୍ସଚର୍ ମେସିନ୍, ୨ଟି ଧାନ ବାଡ଼ା ମେସିନ୍, ୩ଟି ଟ୍ରାକ୍ଟର୍, ଗୋଟିଏ ପାଣି ଟ୍ୟାଙ୍କର୍, ବୋଲେରୋ ଏବଂ ୩ଟି ବାଇକ୍ । ସେହିପରି ଘରୁ ଯାଞ୍ଚବେଳେ ମିଳିଛି ୨୮୫ ଗ୍ରାମ୍ ସୁନା ସହିତ ୨ ଲକ୍ଷ ୪୫ ହଜାର ନଗଦ ଟଙ୍କା ।
ପ୍ରାପ୍ତ ସୂଚନା ମୁତାବକ ସେ ଦୀର୍ଘ ୧୪ ବର୍ଷ ହେଲା ପଞ୍ଚାୟତି ରାଜ ବିଭାଗରେ କାର୍ଯ୍ୟକରୁଥିଲେ । ଗତ ୬ ମାସ ହେଲା ଜିଆରଏସଭାବେ ନିୟମିତ ହୋଇଥିଲେ । ସେଥିରେ ସେ ଆକାଉଣ୍ଟାଣ୍ଟ୍ ତଥା ଡାଟା ଏଣ୍ଟ୍ରି ଅପରେଟର୍ ଭାବେ କାର୍ଯ୍ୟ କରୁଥିଲେ । ସେ ଘର ବାହାରେ ଲଗାଇଛନ୍ତି କ୍ୟାମେରା । ବାହାରେ ଭିଜିଲାନ୍ସ ଟିମକୁ ଦେଖି ପ୍ରାୟ ଅଧଘଣ୍ଟା ଧରି କବାଟ ଖୋଲି ନ ଥିଲେ । ଏହା ପରେ ସେ କବାଟ ଖୋଲିଥିଲେ ।
ଏଥିରେ ଭିଜିଲାନ୍ସର ୨ ଜଣ ସହକାରୀ ଏସପି, ୪ ଜଣ ଡିଏସପି, ୬ ଇନସ୍ପେକ୍ଟର୍, ୬ ଏସଆି ଏବଂ ଅନ୍ୟ ସହ କର୍ମଚାରୀ ଅଧିକାରୀ ସାମିଲ ଅଛନ୍ତି ।
ଅଧିକ ପଢ଼ନ୍ତୁ- ବିଜେପି ଚାହିଁଲେ ବିଜେଡ଼ି ଖଣ୍ଡ ଖଣ୍ଡ ହୋଇଯିବ: ଜୟ ନାରାୟଣ ମିଶ୍ର