ପୁରୀ : ଚୋରଙ୍କ ଟାର୍ଗେଟରେ ଏବେ ବିବାହ ଓ ବ୍ରତଘର ଉତ୍ସବ ମଣ୍ଡପ । ଭୁବନେଶ୍ୱର ପରେ ପୁରୀରୁ ଆସିଲା ଏପରି ଖବର । ଭିଡ଼ର ସୁଯୋଗ ନେଇ ଗିଫ୍ଟ ଟଙ୍କା ଓ ଅଳଙ୍କାର ନେଇ ବ୍ରତଘର ମଣ୍ଡପରୁ ଚମ୍ପଟ ମାରିଛି ଚୋର ।
ସୂଚନା ଅନୁଯାୟୀ ପୁରୀ ମୋଚିସାହି ଛକର ଆଇନଜୀବୀ ସ୍ମୃତିରଞ୍ଜନ ପତିଙ୍କ ପୁଅ ବ୍ରତଘର ଚାଲିଥିଲା ।ସମସ୍ତେ ମଜା ମସ୍ତି ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । ଏହାର ସୁଯୋଗ ନେଇ ସୁନା ଅଳଙ୍କାର ଓ ଟଙ୍କା ଖାମ୍ ଧରି ପଳାଇଛି ଚୋର। ସିସିଟିଭି ଫୁଟେଜ ରେ କଏଦ ହୋଇଛି ଚିତ୍ର । ଫଟୋ ଓ ଚୋରଟି ଚଳପ୍ରଚଳ କରୁଥିବା ଭିଡିଓ ଫୁଟେଜ ପୋଲିସ କୁ ପରିବାର ପକ୍ଷରୁ ହସ୍ତାନ୍ତର କରାଯାଇଛି। ପ୍ରାୟ ୨ଲକ୍ଷ ଟଙ୍କା ସହ ୫ଭରି ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ସ୍ମୃତିରଞ୍ଜନ । ଭିଡିଓ ଫୁଟେଜକୁ ଆଧାର କରି ତଦନ୍ତ କରୁଛି ପୋଲିସ ।
ଗତ ଫେବୃୟାରୀ ୩ରେ ରାଜଧାନୀ ଭୁବନେଶ୍ବରରେ ଏକ ଷ୍ଟାର ହୋଟେଲରେ ଡାକ୍ତର ଦମ୍ପତିଙ୍କ ବାହାଘର ବେଳେ ମଧ୍ୟ ଏଭଳି ଚୋରି ଘଟଣା ସାମ୍ନାକୁ ଆସିଥିଲା । ୨ ଜଣ ଯୁବକ ଅତିଥି ବେଶରେ ଆସି ମଣ୍ଡପରୁ ଡାକ୍ତର ଦମ୍ପତିଙ୍କୁ ଉପହାରରେ ମିଳିଥିବା ନଗଦ ଅଢେଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ କରିଥିଲେ । ସିସିଟିଭିରେ ଦୁଇ ଲୁଟେରାଙ୍କର ଭିଜୁଆଲ କଏଦ୍ ହୋଇଥିଲା। ମାତ୍ର ୧୫ ମିନିଟ୍ ଭିତରେ ଦୁଇ ଚୋର ଘଟଣାସ୍ଥଳରୁ ଟଙ୍କା ଓ ଗହଣା ଭର୍ତ୍ତି ବ୍ୟାଗ୍ ଉଠାଇ କାରରେ ଛୁ’ ମାରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଉଭୟ ପୁରୀରୁ ଧରାପଡ଼ିଥିଲେ ।