ଭୁୁବନେଶ୍ୱର : ବିଧାନସଭାରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ତେରଛା ବାଣ ମାରିଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେପି ପ୍ରତି ଢଳୁଥିବା ସନାଙ୍କୁ ଆଜି ବିଧାନସଭାରେ ପ୍ରବେଶ ଦ୍ୱାରରେ ତାଗିଦ କରିଛନ୍ତି ନବୀନ । ନବୀନଙ୍କ ଏମିତି ଆଭିମୁଖ୍ୟ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଆଉ ନବୀନଙ୍କ ଏମିତି ତାଗିଦ ସଙ୍କେତ ଦେଇଛି ଯେ, ଚମ୍ପୁଆ ବିଧାୟକ ସନାତନ ମହାକୁଡ ବିଜେପିରେ ମିଶିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।
ଆଜି ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ନବୀନ ପଟ୍ଟନାୟକ ବିଧାନସଭା ଗୃହକୁ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକଙ୍କ ସହ ଥିଲେ ସନାତନ ମହାକୁଡ । ଏହି ସମୟରେ ନବୀନ ସନାଙ୍କୁ ପଚାରିଛନ୍ତି ଯେ, ଗତକାଲି ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନ ଥିଲେ । ଉତ୍ତରରେ ଦେହ ଭଲ ନ ଥିବାରୁ ବୈଠକକୁ ଆସି ପାରି ନ ଥିବା କହିଥିଲେ ସନା ମହାକୁଡ । ଏହା ପରେ ନବୀନ ତାଗିଦ କରି କହିଥିଲେ ଯେ, ଦେହ ଭଲ ନ ଥିଲା ନା ବିଜେପି ଆଡେ ମୁହାଁଉଛନ୍ତି । ନବୀନଙ୍କ ସନାଙ୍କୁ ଏମିତି ତାଗିଦ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ହାତରୁ ଶାସନ ଡୋରି ଚାଲିଯିବା ପରେ ଅନେକ ବିଜେଡି ନେତା ବିଜେପିରେ ଯୋଗ ଦେଇ ସାରିଥିବା ବେଳେ ଏବେ ଅନେକ ଯୋଗ ଦେବାକୁ ଧାଡିରେ ରହିଛନ୍ତି । ବିଜେଡି ନେତାଙ୍କ ଦଳ ଡିଆଁକୁ ନେଇ ସଭାପତି ଚିନ୍ତାରେ ଥିବା ଜଣା ପଡିଛି । ବିଧାନସଭାରେ ପରାଜିତ ପରେ ଦୁଇ ରାଜ୍ୟସଭା ସଦସ୍ୟ ସହ ଅନେକ ପଞ୍ଚାୟତ ସମିତି ଅଧ୍ୟକ୍ଷ ସମେତ ନେତା ବିଜେପିରେ ଯୋଗ ଦେଇ ସାରିଛନ୍ତି ।
ଆଉ ଏବେ ସନାତନ ମହାକୁଡଙ୍କୁ ନବୀନଙ୍କ ତେରଛା ବାଣ ସୂଚାଇ ଦେଉଛି ଯେ, ଚମ୍ପୁଆ ବିଧାୟକ ବିଜେପି ପ୍ରତି ଢଳୁଛନ୍ତି । ସୂଚନାଯୋଗ୍ୟ, ସନାତନ ମହାକୁଡ ସ୍ୱାଧୀନ ପ୍ରାର୍ଥୀ ଭାବେ ୨୦୧୪ରେ ଚମ୍ପୁଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୧୯ରେ ସେ ବିଜେଡିରେ ଯୋଗ ଦେଇଥିଲେ । ତେବେ ୨୦୧୯ରେ ସେ ନିର୍ବାଚନ ଲଢି ନ ଥିଲେ । ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ ସନାତନ ମହାକୁଡ ।