ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମାଳପୁରା ଗାଁ ପାଖ ଏନଏଚ ୫୩ରେ ତାଣ୍ଡବ ରଚିଛି ଗୋଠ ଛଡା ଦନ୍ତା। ବୁଧବାର ରାତି ତମାମ ଦନ୍ତା ହାତୀଟି ଜାତୀୟ ରାଜପଥରେ ରହି ଆତଙ୍କ ସୃଷ୍ଟି କରିବା ସହ ମାଳପୁରା ଗାଁ ଦେଇ ରାଙ୍କିଆ ଗାଁ ଆଡକୁ ପଳେଇ ଯାଇଥିଲା। ଗୋଠ ଛଡା ଦନ୍ତାଟି ପ୍ରଥମେ ଭୁବନ ରେଞ୍ଜ ଅଞ୍ଚଳରୁ କଙ୍କଡାହାଡ଼ ତିନିଘରିଆ ଅଞ୍ଚଳକୁ ପଳେଇ ଆସିଥିଲା। ପରେ ଢୋଲଖମଣ ଦେଇ ମାଳପୁରା ଏବଂ ନୂଆପାଣି ଗାଁରେ ଆତଙ୍କ ସୃଷ୍ଟି କରିଥିଲା । ତେଣୁ ଯଥାଶୀଘ୍ର ଗୋଠ ଛଡା ଦନ୍ତା ହାତୀଟିକୁ ଘଉଡ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସେପଟେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଦନ୍ତା ହାତୀର ଗତିବିଧି ଉପରେ ନଜର ରଖିଛି ।
ସୂଚନାଥାଉ କି ଗୋଠଛଡା ଦନ୍ତା ହାତୀର ଉତ୍ପାତ ଦିନକୁ ଦିନ ବଢି ଚାଲିଛି । ଘର ଭାଙ୍ଗିବା, ଫସଲ ଉଜାଡିବା ସହିତ ମଣିଷଙ୍କୁ ଆକ୍ରମଣ କରିବା ଘଟଣା ପ୍ରତ୍ୟେହ ଘଟୁଛି। ଯାହାଫଳରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ପାର୍ଶ୍ୱବର୍ତ୍ତୀ ଗ୍ରାମ ବାସିନ୍ଦା ଆତଙ୍କିତ ରହୁଛନ୍ତି। ରାତ୍ର ସମୟରେ ଜଙ୍ଗଲ ପାର୍ଶ୍ୱ ଗ୍ରାମ ଗୁଡିକରେ ଲୋକେ ରାତି ଅନିଦ୍ରାରେ ସମୟ ବିତାଉଛନ୍ତି। କେତେବେଳେ, କେଉଁ ସମୟରେ ଗୋଠଛଡା ଦନ୍ତା ପହଞ୍ଚି ଯାଉଛି କହିହେଉନାହିଁ । ଘର ଭିତରେ ଶୋଇଥିଲେ ମଧ୍ୟ ପରିବାର ସଦସ୍ୟଙ୍କ ନିଦ ହଜିଯାଉଛି ।