ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗୁରୁବାର ଗିରଫ କରାଯାଇଛି ।
ଭିଜିଲାନ୍ସ ଟିମ୍ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କର ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଭୁବନେଶ୍ୱର ଏବଂ ବାଲେଶ୍ୱରରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ତାଙ୍କର ଭୁବନେଶ୍ୱର ଶୈଳଶ୍ରୀ ବିହାର ଓ ରୁଦ୍ରପୁର ଆସୋଟେକ୍ ପ୍ରାଇଡରେ ୨ ଫ୍ଲାଟ୍ ଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ ୨.୫ କୋଟି ହେବ । ସେହିପରି ବାଲେଶ୍ୱରରେ ୨ଟି ପ୍ଲଟ୍ ଠାବ କରାଯାଇଥିବାବେଲେ ୯୧୭ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି । ସେହିପରି ୧ କୋଟି ଟଙ୍କାର ପୋଷ୍ଟାଲ୍ ଜମା ରାଶି ଏବଂ ୨୦ ଲକ୍ଷ ଟଙ୍କା ସନ୍ଦେହ ଜନକ ବ୍ୟାଙ୍କ ନେଣଦେଣ ଜଣାପଡ଼ିଥିଲା । ତହସିଲଦାର ଏହାର କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ତାଙ୍କୁ ଶେଷରେ ଗିରଫ କରାଯାଇଛି ।
ଚଢ଼ଉରେ ଭିଜିଲାନ୍ସର ୬ ଜଣ ଡିଏସପି, ୩ ଇନସ୍ପେକ୍ଟର, ୧୦ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଜବତ ସମ୍ପତିର କୌଣସି ସୂଚନା ମିଳିପାରି ନାହିଁ ।