ସମ୍ବଲପୁର: ସାମ୍ନାକୁ ଆସିଲା ଚିକିତ୍ସା ଅବ୍ୟବସ୍ଥାର ଆଉ ଏକ କରୁଣ ଚିତ୍ର । ରୋଗୀଙ୍କୁ ଦିଆଗଲା ଅନ୍ଧାରୀ ଚିକିତ୍ସା । କର୍କଟ ରୋଗ ବିଭାଗରେ ଅନ୍ଧାରରେ ଦିଆଗଲା କେମୋ । ପ୍ରାୟ ୩ ଘଣ୍ଟା ଧରି ମେଡିକାଲରେ ବିଦ୍ୟୁତ କାଟ୍ ହୋଇଥିଲା । ଫଳରେ ମୋବାଇଲ ଆଲୁଅରେ ରୋଗୀଙ୍କୁ ଦିଆଯାଇଥିଲା କେମୋ । କେମୋ ଚାଲିଥିବା ବେଳେ ବିଦ୍ୟୁତ ନଥିବାରୁ ଅନ୍ଧାରରେ ବି ଚାଲିଲା ଚିକିତ୍ସା । ଏଭଳି ଅଭାବନୀୟ ଦୃଶ୍ୟ ସମ୍ବଲପୁର ବୁର୍ଲା ଭୀମସାର କର୍କଟ ରୋଗ ବିଭାଗରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ରୋଗୀଙ୍କୁ କେମୋ ଦେବା ସମୟରେ ଲାଇନ କଟିଥିଲା। ହେଲେ ୩ ଘଣ୍ଟା ଯାଏ ଲାଇନ୍ ଆସିନଥିଲା। ଫଳରେ ଏହି ଅନ୍ଧାରକୁ ଖାତିର ନକରି ମୋବାଇଲ ଟର୍ଚ୍ଚ ଲଗାଇ ରୋଗୀଙ୍କୁ ଡାକ୍ତର କେମୋ ଥେରାପି ଦେଇଥିଲେ । ଅନ୍ୟପଟେ ଜେନେରେଟର୍ ଥାଇ ବି ଲଗାଇନଥିବା ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ସେପଟେ ଭୀମସାର ଅଧିକ୍ଷକ ସମଗ୍ର ଘଟଣାରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଭିମସାର ଅଧିକ୍ଷକ ଡାକ୍ତର ଲାଲମୋହନ ନାୟକ କହିଛନ୍ତି ବିଦ୍ୟୁତ ବିଭାଗ କୌଣସି ସୂଚନା ନଦେଇ ବିଦ୍ୟୁତ କାଟି ଦେଇଥିଲେ l ଭୀମସାର ରେ ଥିବା ଜେନେରେଟର କାହିଁକି ଚାଲିଲା ନାହିଁ ତାର ତଦନ୍ତ କରାଯିବ l ତେବେ ଭିମସାର ବିଦ୍ୟୁତ ରକ୍ଷଣାବେକ୍ଷଣା ଦାୟିତ୍ଵ ରେ ଥିବା ଜିଇଡି ବିଭାଗର ଦାୟିତ୍ୱ ହୀନତା ପାଇଁ ଏପରି ସ୍ଥିତି ଉପୁଜୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସମଗ୍ର ଘଟଣାରେ ପୁର୍ବ ସୁଚନା ନ ଦେବା ସହ ଯୋଗାଯୋଗ ରେ ସମନ୍ୱୟ ନ ରହିବା ହେତୁ ଏପରି ହୋଇଥିବା ଅଧିକ୍ଷକ କହିଛନ୍ତି ।
ତେବେ ଏହି ଘଟଣା ରାଜ୍ୟରେ ନୂଆନୁହେଁ ପୂର୍ବରୁ ମଧ୍ୟ ଏମିତି ଅନେକ ଖବର ସାମ୍ନାକୁ ଆସିଛି । ମେଡିକାଲ କତୃପକ୍ଷଙ୍କ ଅବହେଳା ପାଇଁ ଅନ୍ଧାରରେ ଚିକିତ୍ସା ଚାଲୁଛି । ଏନେଇ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ ନ ହେଲେ ରୋଗୀଙ୍କ ଜୀବନ ବିପଦରେ ପଡିପାରେ ।
ଅଧିକ ପଢନ୍ତୁ :- ଡ୍ୟୁଟି ସାରି ଶୋଇଲେ, ହେଲେ ଆଉ ଉଠିଲେନି କନଷ୍ଟେବଳ