ଭୁବନେଶ୍ୱର: ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭରୁ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଦେଖୁ ଦେଖୁ ତାଗିଦ କରିଥିଲେ । ଯାହା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାର ପ୍ରତିକ୍ରିୟାରେ ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି କି ଯେଉଁଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଚାହିଁବେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ ।
ଜୟ ନାରାୟଣ ତାଚ୍ଛଲ୍ୟ ଢଙ୍ଗରେ ବିଜେଡ଼ିକୁ ଟାର୍ଗେଟ୍ କରି କହିଛନ୍ତି ଯେ ହୁଇସିଲ୍ ମାରିଲେ ବିଜେଡ଼ି ଭାଙ୍ଗିଯିବ । କାଳେ ସବୁ ନେତା ବିଜେପିକୁ ପଳାଇବେ ବୋଲି ନବୀନ ଭୟଭୀତ ହୋଇଗଲେଣି । ଯେଉଁ ଦିନ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଚାହିଁବେ ବିଜେଡି ଖଣ୍ଡ ଖଣ୍ଡ ହୋଇଯିବ । ସେ କହିଛନ୍ତି, “ମୁଁ ଆଗରୁ ବି କହିଥିଲି, ହୁଇସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ । ବିଚଳିତ ମନୋଭାବ । ଏତେ ବର୍ଷ ଧରି ସେ କିଛି ବୁଝୁ ନଥିଲେ, ରାଜୁତି କରୁଥିଲେ ଓ ଆମୋଦ ପ୍ରମୋଦରେ ଲାଗିଥିଲେ, ତାର ଫଳ ଇଏ ।”
ଆଜି ନବୀନ ପଟ୍ଟନାୟକ ବିଧାନସଭା ଗୃହକୁ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକଙ୍କ ସହ ଥିଲେ ସନାତନ ମହାକୁଡ । ଏହି ସମୟରେ ନବୀନ ସନାଙ୍କୁ ପଚାରିଥିଲେ ଯେ, ଗତକାଲି ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନ ଥିଲେ । ଉତ୍ତରରେ ଦେହ ଭଲ ନ ଥିବାରୁ ବୈଠକକୁ ଆସି ପାରି ନ ଥିବା କହିଥିଲେ ସନା ମହାକୁଡ । ଏହା ପରେ ନବୀନ ତାଗିଦ କରି କହିଥିଲେ ଯେ, ଦେହ ଭଲ ନ ଥିଲା ନା ବିଜେପି ଆଡେ ମୁହାଁଉଛନ୍ତି ।
ନିଜ ପ୍ରତିକ୍ରିୟାରେ ସନା ମହାକୁଡ କହିଛନ୍ତି ଯେ, ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ମୋହନ ମାଝୀ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ମୁଖ୍ୟମନ୍ତ୍ରୀ ନୁହନ୍ତି । କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଚାରିଲେ । ଅସୁସ୍ଥତା ଥିବା କହିଲି, ବିଜେପି ଯାଉଛନ୍ତି କି ବୋଲି ସେ ପଚାରି ନାହାନ୍ତି । ସେ ଦଳର ମୁରବି, ପଚାରିବା ଅଧିକାର ତାଙ୍କର ଅଛି ବୋଲି ସନା ମହାକୁଡ କହିଛନ୍ତି ।