ଭୁୁବନେଶ୍ୱର : ନବୀନଙ୍କ ତାଗିଦ ପରେ ସାମ୍ନାକୁ ଆସିଲା ଚମ୍ପୁଆର ବିଜେଡି ବିଧାୟକ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ବିଜେଡି ସହ ଅଛି, ରହିଛି ଏବଂ ରହିବି ବୋଲି କହିଛନ୍ତି ସନା ମହାକୁଡ । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି ଏବଂ ରହିବି । ଏହାର କିଛି ସମୟ ପୂର୍ବରୁ ବିଧାନସଭାର ପ୍ରବେଶ ଦ୍ୱାରରେ ନବୀନ ତାଙ୍କ ପ୍ରତି ବିରକ୍ତି ହେଉଥିବା ଦେଖିବାକୁ ମିଳିଥିଲା ।
ନିଜ ପ୍ରତିକ୍ରିୟାରେ ସନା ମହାକୁଡ କହିଛନ୍ତି ଯେ, ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ମୋହନ ମାଝୀ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ମୁଖ୍ୟମନ୍ତ୍ରୀ ନୁହନ୍ତି । କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଚାରିଲେ । ଅସୁସ୍ଥତା ଥିବା କହିଲି, ବିଜେପି ଯାଉଛନ୍ତି କି ବୋଲି ସେ ପଚାରି ନାହାନ୍ତି । ସେ ଦଳର ମୁରବି, ପଚାରିବା ଅଧିକାର ତାଙ୍କର ଅଛି ବୋଲି ସନା ମହାକୁଡ କହିଛନ୍ତି ।
ସୂଚନାଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ଗତକାଲି ବିରୋଧୀ ବିଜେଡି ଦଳର ବିଧାୟକ ଦଳ ବୈଠକ ବସିଥିଲା । ତେବେ ଏହି ବୈଠକରେ ଯୋଗ ଦେଇ ନ ଥିଲେ ଚମ୍ପୁଆର ବିଧାୟକ ସନା ମହାକୁଡ । ଆଉ ଆଜି ଏହାକୁ ନେଇ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଦଳର ସଭାପତି ନବୀନ ପଟ୍ଟନାୟକ ।
ଆଜି ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ନବୀନ ପଟ୍ଟନାୟକ ବିଧାନସଭା ଗୃହକୁ ପ୍ରବେଶ କରିବା ସମୟରେ ବିଜେଡି ବିଧାୟକଙ୍କ ସହ ଥିଲେ ସନାତନ ମହାକୁଡ । ଏହି ସମୟରେ ନବୀନ ସନାଙ୍କୁ ପଚାରିଛନ୍ତି ଯେ, ଗତକାଲି ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନ ଥିଲେ । ଉତ୍ତରରେ ଦେହ ଭଲ ନ ଥିବାରୁ ବୈଠକକୁ ଆସି ପାରି ନ ଥିବା କହିଥିଲେ ସନା ମହାକୁଡ । ଏହା ପରେ ନବୀନ ତାଗିଦ କରି କହିଥିଲେ ଯେ, ଦେହ ଭଲ ନ ଥିଲା ନା ବିଜେପି ଆଡେ ମୁହାଁଉଛନ୍ତି । ନବୀନଙ୍କ ସନାଙ୍କୁ ଏମିତି ତାଗିଦ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ହାତରୁ ଶାସନ ଡୋରି ଚାଲିଯିବା ପରେ ଅନେକ ବିଜେଡି ନେତା ବିଜେପିରେ ଯୋଗ ଦେଇ ସାରିଥିବା ବେଳେ ଏବେ ଅନେକ ଯୋଗ ଦେବାକୁ ଧାଡିରେ ରହିଛନ୍ତି । ବିଜେଡି ନେତାଙ୍କ ଦଳ ଡିଆଁକୁ ନେଇ ସଭାପତି ଚିନ୍ତାରେ ଥିବା ଜଣା ପଡିଛି । ବିଧାନସଭାରେ ପରାଜିତ ପରେ ଦୁଇ ରାଜ୍ୟସଭା ସଦସ୍ୟ ସହ ଅନେକ ପଞ୍ଚାୟତ ସମିତି ଅଧ୍ୟକ୍ଷ ସମେତ ନେତା ବିଜେପିରେ ଯୋଗ ଦେଇ ସାରିଛନ୍ତି ।
ଆଉ ଏବେ ସନାତନ ମହାକୁଡଙ୍କୁ ନବୀନଙ୍କ ତେରଛା ବାଣ ସୂଚାଇ ଦେଉଛି ଯେ, ଚମ୍ପୁଆ ବିଧାୟକ ବିଜେପି ପ୍ରତି ଢଳୁଛନ୍ତି । ସୂଚନାଯୋଗ୍ୟ, ସନାତନ ମହାକୁଡ ସ୍ୱାଧୀନ ପ୍ରାର୍ଥୀ ଭାବେ ୨୦୧୪ରେ ଚମ୍ପୁଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୧୯ରେ ସେ ବିଜେଡିରେ ଯୋଗ ଦେଇଥିଲେ । ତେବେ ୨୦୧୯ରେ ସେ ନିର୍ବାଚନ ଲଢି ନ ଥିଲେ । ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚନ ଲଢି ଜିତିଥିଲେ ସନାତନ ମହାକୁଡ ।