ମଣିପୁର: କିଏ ହେବ ମଣିପୁରର ଆଗାମୀ ମୁଖ୍ୟମନ୍ତ୍ରୀ? ମଣିପୁରରେ ଲାଗିବ କି ରାଷ୍ଟ୍ରପତି ଶାସନ? ଏମିତି କିଛି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । କାରଣ ମଣିପୁରରେ ଦୀର୍ଘ ଦିନ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏନ ବିରେନ୍ ସିଂ । ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫା ଦେଇଛନ୍ତି । ରାଜଭବନ ପକ୍ଷରୁ ଏଥିପାଇଁ ଏକ ବିବୃତି ମଧ୍ୟ ଜାରି କରାଯାଇଛି । ଏଥିରେ ରାଜ୍ୟପାଳ ଅଜୟ କୁମାର ଭାଲା, ଯେବେ ଯାଏଁ ବିକଳ୍ପ ବ୍ୟବସ୍ଥା ନ ହୋଇଛି ସେବେ ଯାଏଁ ତାଙ୍କୁ ପଦରେ ରହିବାକୁ କହିଛନ୍ତି ।
ଏନ ବିରେନ ସିଂଙ୍କ ପରେ ଏବେ କିଏ ହେବ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ଭିତରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ବି ସମୟ ନେଉଛି । ଦିଲ୍ଲୀରେ ଏଥିପାଇଁ ବୈଠକ ଚାଲିଛି । ସେପେଟ ନିଜ ଇସ୍ତଫା ଦେବା ବେଳେ ବିଧାନସଭାକୁ ସ୍ଥଗିତ ରଖିବାକୁ ଏନ ବିରେନ ସିଂ ପରାମର୍ଶ ଦେଇଥିଲେ । ଦେଖିବାକୁ ଗଲେ ଦଳରେ ସେମିତି କୌଣସି ଟାଣୁଆ ନେତା ନାହାନ୍ତି ଯାହାଙ୍କ ପାଖେ ଅଧିକାଂଶ ବିଧାୟକଙ୍କ ସମର୍ଥନ ରହୁଥିବେ । ଏଥିପାଇଁ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ମଣିପୁରର ଜଣେ ବିଜେପି ନେତା କହିଛନ୍ତି, “ମୁଖ୍ୟମନ୍ତ୍ରୀ ବିଧାନସଭାକୁ ସ୍ଥଗିତ ରଖିବାକୁ ସୁପାରିଶ କରିଛନ୍ତି। କେନ୍ଦ୍ର ଏହା ଉପରେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ବିରେନ ସିଂ ତଦାରଖକାରୀ ଭାବରେ କାର୍ଯ୍ୟ ଜାରି ରଖିବେ। ” ରାଜ୍ୟପାଳ ଭାଲା କିଛି ଦିନ ମଧ୍ୟରେ କେନ୍ଦ୍ରରେ ତାଙ୍କ ରିପୋର୍ଟ ଦାଖଲ କରିବେ, ଯାହା ପରେ ରାଷ୍ଟ୍ରପତିଙ୍କ ନିୟମ ଲାଗୁ ହୋଇପାରିବ।
ଅଧିକ ପଢନ୍ତୁ: ଦୁର୍ବ୍ୟବହାରର ଶିକାର ହେଲା ଦିବ୍ୟାଙ୍ଗ ନାବାଳିକା; ଭେଣ୍ଟିଲେଟରରେ ମୃତ୍ୟୁ; ଅନ୍ତିମ ସଂସ୍କାର କଲା ପୁଲିସ
କ୍ରମାଗତ ଭାବେ ୨ ବର୍ଷ ହେଲା ମଣିପୁରରେ ଜାରି ରହିଛି ହିଂସା । ଜାତିଗତ ହିଂସାରେ ଗଲାଣି ୨ଶହରୁ ଅଧିକ ଜୀବନ । ଏଥିସହ ୬୦ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହୋଇଛନ୍ତି । ଗତ ୨ ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଅନେକ ହିଂସାତ୍ମକ ସଂଘର୍ଷର କାରଣ ହୋଇଛି, ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି ଏବଂ ହଜାର ହଜାର ଲୋକଙ୍କୁ ସେମାନଙ୍କ ଘରୁ ଛାଡିବାକୁ ବାଧ୍ୟ କରାଯାଇଛି। ସେପଟେ ହିଂସା ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇପଡିଥିଲେ ବିରେନ୍ । ଏପରିକି ବିଜେପି ବିଧାୟକ ମାନେ ବି ବିରେନ୍ ସିଂଙ୍କ ପ୍ରତି ଅସନ୍ତୋଷ ଥିଲେ । ଗତ ବର୍ଷ ଅକ୍ଟୋବରରେ ମଣିପୁରର ୧୯ ଜଣ ଭାଜପା ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଏନ ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବି କରିଥିଲେ।