ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର ଓଡ଼ିଶାର ରେଳ ଇଞ୍ଜିନକୁ ବନ୍ଦ କରିବାକୁ ଯୋଜନା କରିଛନ୍ତି । ୱାଲଟିୟର ଡିଭିଜନକୁ ପୂର୍ବତଟ ରେଳବାଇରୁ ଅଲଗା କରାଯିବା ଦ୍ୱାରା ଓଡ଼ିଶାକୁ ଖୁବ କ୍ଷତି ହେବ । ରେଳବାଇ ରାଜ୍ୟ କୈନ୍ଦ୍ରିକ ହେବା ଉଚିତ ନୁହେଁ । ଯଦି ଏହାକୁ ରାଜ୍ୟ କୈନ୍ଦ୍ରିକ କରାଯାଉଛି ତେବେ ଓଡିଶା ପାଇଁ ମଧ୍ୟ ଏପରି କରାଯାଉ । ଅନ୍ୟ ଜୋନରେ ଥିବା ଓଡିଶାର ଅଂଚଳ ଗୁଡିକୁ ପୂର୍ବତଟ ରେଳବାଇରେ ସାମିଲ କରାଯାଉ । ଗୃହରେ ସୋମବାର ଏହି ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ବିଧାନସଭା ପ୍ରଶ୍ନକାଳରେ ୱାଲଟିୟର୍ ରେଳ ଡିଭିଜନକୁ ନେଇ ଅନେକ ତୁମ୍ବି ତୋଫାନ ଦେଖିବାକୁ ମିଳିଛି । ବିଜେଡ଼ି ସଦସ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସହିତ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଉପରେ ଖୁବ ବର୍ଷିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଚଳିତ ମାସ ୭ ତାରିଖ ରେଳ ଓଡ଼ିଶାରେ ରେଳ କ୍ଷେତ୍ର ପାଇଁ ଦୁର୍ଭାଗ୍ୟ ଓ କଳା ଦିନ ଥିଲା । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯାହା ନିଷ୍ପତି ନେଇଥିଲେ, ତାହା ଓଡ଼ିଶାର ସ୍ୱାର୍ଥକୁ ଆଘାତ ଦେଇଛି। ପୂର୍ବତଟ ରେଳ ପଥକୁ ଓଡ଼ିଶାର ଗର୍ବ ବୋଲି କୁହାଯାଏ । ପୂର୍ବତଟ ରେଳବାଇ ସବୁଠାରୁ ଲାଭ ଦେଉଥିବା ଜୋନ । କେନ୍ଦ୍ରକୁ ପ୍ରତି ବର୍ଷ ୨୫ ହଜାରରୁ ୩୦ ହାଜର କୋଟିର ଅବଦାନ ଦେଉଛି ପୂର୍ବତଟ ରେଳବାଇ । କିନ୍ତୁ ଦୁର୍ଭାଗ୍ୟ ଯେ ୭ ତାରିଖ ଦିନ କେନ୍ଦ୍ର ସରକାର ପୂର୍ବତଟ ରେଳବାଇ ଜୋନକୁ ବିକଳାଙ୍ଗ କରିଦେଲେ । ଯାହାକି ଓଡ଼ିଶା ସ୍ୱାର୍ଥକୁ ଆଘାତ ଦେଇଛି । ୱାଲ୍ଟିୟର ଡିଭିଜନକୁ ପୂର୍ବତଟ ରେଳବାଇର ଅଲଗା କରି ଦକ୍ଷିଣ ତଟ ଜୋନରେ ମିଶାଇଛନ୍ତି । ଏଥିରେ ଆମର ଆପତ୍ତି ନାହିଁ । କିନ୍ତୁ ଆନ୍ଧ୍ରର ସ୍ଵାର୍ଥ ପାଇଁ କେନ୍ଦ୍ର ଯେଉଁଭଳି ଷ୍ଟେଟ ସେଣ୍ଟ୍ରିକ ନିଷ୍ପତି ନେଲେ ସେହିଭଳି ଓଡ଼ିଶା ପାଇଁ ମଧ୍ୟ ନିଷ୍ପତି ନେବା କଥା । ଏହି ନିଷ୍ପତ୍ତି କେନ୍ଦ୍ର ସରକାର ରାଜନୈତିକ ବାଧ୍ୟ ବାଧକତା ଦୃଷ୍ଟିରୁ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଆଶା ବାଡି ହେଉଛି ଆନ୍ଧ୍ର । ତେଣୁ ଆଶା ବାଡି ଚାଲିଗଲେ କେନ୍ଦ୍ର ସରକାର ଚାଲିବ ନାହିଁ । ବାହାର ରାଜ୍ୟ ଜୋନରେ ରାଜ୍ୟର ଯେତିକି ରେଳ ଲାଇନ ରହିଛି, ସେଗୁଡିକୁ ପୂର୍ବତଟ ରେଳବାଇରେ ମିଶାଯାଉ । ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜର ରେଳ ଲାଇନ୍ ଚକ୍ରଧରପୁର ଜୋନରେ ଅଛି । ଏସବୁ ରେଳ ଲାଇନ ପୂର୍ବତଟ ରେଳବାଇ ଜୋନରେ ମିଶାଯାଉ ବୋଲି ସେ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ଯଦି ଆନ୍ଧ୍ରକୁ ନେଇ ରାଜ୍ୟ କେନ୍ଦ୍ରିକ ଜୋନ କରାଗଲା । ତାହେଲେ ଓଡ଼ିଶା ପାଇଁ କାହିଁକି ରାଜ୍ୟ କେନ୍ଦ୍ରିକ ଜୋନ ହେବ ନାହିଁ । ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଗୋଟିଏ ନିୟମ କିନ୍ତୁ ଆନ୍ଧ୍ର ଓ ବିହାର ପାଇଁ ଆଉ ଗୋଟିଏ ନିୟମ । ଏହା ଓଡ଼ିଶାର ସ୍ଵାର୍ଥ ପାଇଁ ଘୋର ଅପମାନ । ଓଡ଼ିଶା ପାଇଁ ସେଗୁଡିକୁ ଷ୍ଟେଟ ସେଣ୍ଟ୍ରିକ ଜୋନ କରି ପୂର୍ବତଟ ରେଳବାଇର ସାମିଲ କରାଯାଉ ବୋଲି ଶୂନ୍ୟ କାଳରେ ସେ ଦାବି କରିଛନ୍ତି ।
ବିହାର, ଆନ୍ଧ୍ର ପାଇଁ ଗୋଟିଏ କଥା, ଓଡ଼ିଶା ପାଇଁ ଆଉ ଗୋଟିଏ । ଦୁଃଖର କଥା ଓଡ଼ିଶାର ରେଳମନ୍ତ୍ରୀ ଓଡ଼ିଶାର । ଏଥିରେ ରାଜନୀତି ନହେବା ଦରକାର, ଏଥିପାଇଁ ସବୁ ଦଳ ଏକାଠି ହେବାକୁ ସେ ଗୃହରେ ଆହ୍ୱାନ କରିଥିଲେ । ଓଡ଼ିଶାର ଯେଉଁ ଜୋନ ଓଡିଶା ବାହାରେ ଅଛି, ତାହାକୁ ଓଡ଼ିଶାରେ ମିଶାଯାଉ । ଆମେ ତାଙ୍କୁ ସ୍ଵାଗତ କରିବୁ । ୱାଲଟିଅର ଡିଭିଜନକୁ ବିଶାଖାପାଟଣାରେ ମିଶାଇଦେବା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରସନ୍ନ ଆର୍ଚାଯ୍ୟ ।
ଏହି ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ ।
ସେହିପରି ଶୂନ୍ୟକାଳରେ କେନ୍ଦ୍ର ଉପରେ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମଧ୍ୟ ବର୍ଷିଥିଲେ । ସେ କେନ୍ଦ୍ର କ୍ୟାବିନେଟର ରିଜୋଲ୍ୟୁସନ୍ ଚିରି ପକାଇବା ଦେଖିବାକୁ ମିଳିଥିଲା ।
ସେ କହିଥିଲେ ଯେ, ପୂର୍ବ ତଟ ରେଲୱେ ୨୫ ରୁ ୩୦ ହଜାର କୋଟି ଟଙ୍କାର ଅବଦାନ ଦିଏ । କିନ୍ତୁ କେନ୍ଦ୍ର ୱାଲଟିଅର ଡିଭିଜନକୁ ବିଲୀନ କରିଦେଲା । ପୂର୍ବତଟ ରେଲୱେରୁ ଏହାକୁ ନେଇ ଆନ୍ଧ୍ରପ୍ରଦେଶରେ ମିଶାଇ ଦିଆଗଲା । ଏହାଫଳରେ ୧୦ ହଜାର କୋଟି ହରାଇଲା ଓଡିଶା । ବିଜେପିର ୨୦ ଜଣ ସାଂସଦ ମୁକ୍ ଓ ବଧିର ହୋଇଯାଇଛନ୍ତି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ । ଯେଉଁ ମାପ କାଠିରେ କେନ୍ଦ୍ର ଆନ୍ଧ୍ରକୁ ଦେଖୁଛି, ଓଡ଼ିଶାକୁ ସେହି ମାପ କାଠିରେ ଦେଖୁ । ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିଜେଡି ଚୁପ୍ ହୋଇ ବସିବ ନାହିଁ । ଆମେ ରାଜ୍ୟ ସ୍ଵାର୍ଥ ପାଇଁ ଲଢ଼େଇ କରିବୁ । ଦୁଃଖ ଲାଗୁଛି ଓଡିଶାରୁ ରେଳମନ୍ତ୍ରୀ ଅଛନ୍ତି ।