ଭୁବନେଶ୍ୱର: ବିଜୁ ଜନତା ଦଳରେ ତୁଣ୍ଡ ଖୋଲିବା ମହାପାପ । ଏମିତିକି ଦଳକୁ ସୁସଙ୍ଗଠିତ କରିବାକୁ ପରାମର୍ଶ ଦେବା ମଧ୍ୟ ଭୁଲ । ବିଜେଡ଼ିରୁ ଦୂରେଇ ଯିବାକୁ ମନ୍ତବ୍ୟ ଦେଇଥିବା ପ୍ରଫୁଲ୍ଲ ମଲ୍ଲିକ ପାଇଁ ପରଦିନ ବୁମେରାଂ ସାବ୍ୟସ୍ତ ହୋଇଛି । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି ।
ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗରରୁ ଚାରି ଥର ବିଧାୟକ ହେବା ସହିତ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ । ଦଳକୁ ସୁସଙ୍ଗଠିତ କରିବାକୁ ପ୍ରଫୁଲ୍ଲ ଗତକାଲି ପରାମର୍ଶ ଦେଇଥିଲେ । ସେ ଦୀର୍ଘ ଦିନ ହେବ ଦଳର କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । କେବଳ ଜଣେ ସଦସ୍ୟଭାବେ କାର୍ଯ୍ୟ କରୁଥିଲେ । ଦଳ ଯଦି ପୂର୍ବ ବିଚାରଧାରାରେ ନ ଚାଲେ ତେବେ ସେ ଦୂରେଇ ଯିବେ ବୋଲି ଚେତାବନୀ ଦେଇଥିଲେ । କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କୁ ନିଲମ୍ବନ କରାଯାଇଛି ।
ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡ଼ିର ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରୁ ଦୂରେଇ ଯିବା ନେଇ ସଙ୍କେତ ଦେଇଥିଲେ । ବିଜେଡ଼ି ଆଉରେ ପୂର୍ବ ବିଚାରଧାରା ନ ନାହିଁ । ବିଜେଡ଼ି ଯେଉଁ ବିଚାରଧାରାକୁ ନେଇ ଗଠନ ହୋଇଥିଲା , ସେହି ବିଚାରଧାରା ନାହିଁ । କାହା ଉପରେ କୌଣସି ଅଭିମାନ ନାହିଁ । ଯଦି ଠିକ୍ ଭାବରେ ଦଳ କାମ କରିବେ ତାହାହେଲେ ସିଏ ରହିବେ । ବିଜେଡି ସଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳକୁ ସଙ୍ଗଠିତ କରିବାକୁ ଆମେ କିଛି ପରାମର୍ଶ ଦେଇଥିଲୁ ତାହା ମଧ୍ୟ କାର୍ଯ୍ୟକାରୀ କରାଯାଉନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ ।ଦଳର ଭିକେ ପାଣ୍ଡିଆନଙ୍କ ରାଜୁତି ପାଇଁ ବହୁ ବରିଷ୍ଠ ନେତା ମୁହଁ ମୋଡ଼ି ସାରିଲେଣି । ଗତ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ ଦଳୀୟ କନ୍ଦଳ ଧିରେ ଧିରେ ବଢ଼ିଚାଲିଛି । ନିକଟରେ ପୂର୍ବତନ ସାଂସଦ ଏମ୍ ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକି ଓ ଛାତ୍ର ନେତା ହରିଶଙ୍କର ରାଉତ ଦଳ ଛାଡ଼ିଛନ୍ତି ।