ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଡମ୍ବସରା ଗ୍ରାମର ଜଣେ ମହିଳା ନାଏବ ସରପଞ୍ଚଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ନାଏବ ସରପଞ୍ଚ ହେଲେ ନରସିଂହ ତ୍ରିପାଠୀଙ୍କ ପତ୍ନୀ ରଞ୍ଜିତା ତ୍ରିପାଠୀ । ପରିବାର ପକ୍ଷରୁ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ପ୍ରାଥମିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।
ପ୍ରାପ୍ତ ସୂଚନା ମୁତାବକ, ରଞ୍ଜିତାଙ୍କ ଘର ପଦ୍ମପୁର ବ୍ଲକ ଟେରୁପାଙ୍ଗରେ ହୋଇଥିବାବେଳେ ୨୦୦୭ ରେ ଡମ୍ବସରା ପଞ୍ଚାୟତ ଆପ୍ନାଗୁଡ଼ା ଗ୍ରାମର ନରସିଂହ ତ୍ରିପାଠୀଙ୍କୁ ବିବାହ କରିଥିଲେ । ସେ ନାଏବ ସରପଞ୍ଚ ମଧ୍ୟ ଥିଲେ । ଗତକାଲି ହଠାତ ରଂଜିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଝୁଲନ୍ତା ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ବାପ ଘର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି । ରଞ୍ଜିତାଙ୍କ ଭାଇ ଲୋକନାଥ ସାହୁଙ୍କ ଅଭିଯୋଗ ମୁତାବକ କହିଛନ୍ତି ତାଙ୍କ ସ୍ୱାମୀ ଆଗରୁ ବହୁତ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ବାପ ଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲେ । ଗତ ମାସେ ତଳେ ତାଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଫଳରେ ତାଙ୍କ ଅଣ୍ଟାରେ ଗଭୀର ଆଘାତ ମଧ୍ୟ ଲାଗିଥିଲା । ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ଏହାର ସଠିତ ତଦନ୍ତ କରିବାକୁ ଦାବି କରାଯାଇଛି । ପୋଲିସ ମୃତ ଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । କିପରି ତାଙ୍କର ମୃତ୍ୟୁ ହେଲା ଜଣାପଡ଼ି ନାହିଁ । ଉପଯୁକ୍ତ ତଦନ୍ତ କରିବାକୁ ପରିବାର ଦାବି କରିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।