ରାୟଗଡ଼ା: ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ଏବେ କାହାକୁ ଆଉ ଅଛପା ନାହିଁ । ପୂର୍ବତନ ସାଂସଦ ତଥା ଟାଣୁଆ ନେତା ଏମ୍. ଭାସ୍କର ରାଓ ଇସ୍ତଫା ଦେବା ପରେ ରାୟଗଡ଼ା ଜିଲ୍ଲାରେ ବିଜେଡ଼ିରେ ବଡ଼ ବିପର୍ଯ୍ୟୟ ହେବାକୁ ଯାଉଛି । ଆଜି ରାୟଗଡ଼ା ପୌର ପାଳିକାର ଉପାଧ୍ୟକ୍ଷାଙ୍କ ବିରୁଦ୍ଧରେ ଏକାଠି ହୋଇଛନ୍ତି ୧୯ ଜଣ କାଉନସିଲର୍ । ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।
ଅଧିକ ପଢ଼ନ୍ତୁ- ଗୋଟିଏ ଦିନରେ ବିଜେଡ଼ି ଛାଡ଼ିଲେ ୨ ବରିଷ୍ଠ ନେତା, ନୂଆ ସଙ୍ଗଠନ ଗଠନ
ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ଅଛନ୍ତି ଶୁଭ୍ରା ପଣ୍ଡା । ଯିଏକି ବିଜେଡ଼ିର ନେତ୍ରୀ । ମୋଟ ୨୪ ଜଣ କାଉନସିଲରଙ୍କ ମଧ୍ୟରୁ କେବଳ ୨ ଜଣ ବିଜେପି ଓ ଜଣେ କଂଗ୍ରେସ ଦଳର ଅଟନ୍ତି । କିନ୍ତୁ ଆଜି ୧୯ ଜଣ ବିଜେଡ଼ି କାଉନସିଲର୍ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ନିର୍ବାଚନ ତାରିଖ ଦେଇ ନାହାଁନ୍ତି ।
ଅନ୍ୟପକ୍ଷରେ କୁହାଯାଉଛି କି ଏ ସମସ୍ତ କାଉନସିଲର୍ ଏମ୍. ଭାସ୍କର ରାଓଙ୍କ ସମର୍ଥକ ଅଟନ୍ତି । ଏମ୍ ଭାସ୍କରଙ୍କ ଇସ୍ତଫା ପରେ ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଉ ଭାସ୍କରଙ୍କୁ ସମାଲୋଚନା କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପୌର ଉପାଧକ୍ଷା ଶୁଭ୍ରା ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଯାହା ପରେ ଭାସ୍କର ଗୋଷ୍ଠାର କାଉନସିଲରମାନେ ତାଙ୍କୁ ଗାଦିଚ୍ୟୁତ କରିବାକୁ ଏକାଠି ହୋଇଛନ୍ତି ।