ଭୁବନେଶ୍ୱର: ଇସ୍ତଫା ଦେବା ପରେ ବିଜେଡ଼ି ନିଲମ୍ବନ କରିଛି । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ।
ଶୁକ୍ରବାର ସକାଳୁ ସକାଳୁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡ଼ିରୁ ନିଲମ୍ବନ କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଦଳ ବିରୋଧୀ କାର୍ଯ୍ୟପାଇଁ ଉପସଭାପତି ପ୍ରତାପ ଜେନା ପ୍ରଫୁଲ୍ଲଙ୍କୁ ଶୁକ୍ରବାର ନିଲମ୍ବିତ କରିଛନ୍ତି । କିନ୍ତୁ ଏହାର କିଛି ସମୟ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ସେ ଗୁରୁବାର ରାତିଠାରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟାନାୟକଙ୍କୁ ହ୍ୱାଟସ୍ଆପ୍ ମାଧ୍ୟମରେ ପଠାଇଥିଲେ । ଏହା ସହିତ ଅନ୍ୟ ନେତାଙ୍କ ନିକଟକୁ ମଧ୍ୟ ଇସ୍ତଫା ପତ୍ର ପଠାଇଥିଲେ । କିନ୍ତୁ ଏହା ପରେ ତାଙ୍କୁ କାହିଁକି ନିଲମ୍ବନ କରାଯାଇଛି ସେ ସମ୍ପର୍କରେ କିଛି ଜାଣିନାହିଁନ୍ତି ବୋଲି ପ୍ରଫୁଲ୍ଲ କହିଛନ୍ତି । ଏପରିକି ତାଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଦିଆଯାଇ ନଥିଲା ।
ପ୍ରଫୁଲ୍ଲ ମଲ୍ଲିକ କାମାକ୍ଷାନଗରରୁ ଚାରି ଥର ବିଧାୟକ ହେବା ସହିତ ବିଜେଡ଼ି ସରକାରରେ ମନ୍ତ୍ରୀ ପଦ ମଧ୍ୟ ପାଇଥିଲେ । ଦଳକୁ ସୁସଙ୍ଗଠିତ କରିବାକୁ ପ୍ରଫୁଲ୍ଲ ଗତକାଲି ପରାମର୍ଶ ଦେଇଥିଲେ । ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡ଼ିର ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରୁ ଦୂରେଇ ଯିବା ନେଇ ସଙ୍କେତ ଦେଇଥିଲେ । ବିଜେଡ଼ି ଆଉରେ ପୂର୍ବ ବିଚାରଧାରା ନ ନାହିଁ । ବିଜେଡ଼ି ଯେଉଁ ବିଚାରଧାରାକୁ ନେଇ ଗଠନ ହୋଇଥିଲା , ସେହି ବିଚାରଧାରା ନାହିଁ । କାହା ଉପରେ କୌଣସି ଅଭିମାନ ନାହିଁ । ଯଦି ଠିକ୍ ଭାବରେ ଦଳ କାମ କରିବେ ତାହାହେଲେ ସିଏ ରହିବେ । ବିଜେଡି ସଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳକୁ ସଙ୍ଗଠିତ କରିବାକୁ ଆମେ କିଛି ପରାମର୍ଶ ଦେଇଥିଲୁ ତାହା ମଧ୍ୟ କାର୍ଯ୍ୟକାରୀ କରାଯାଉନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ ।
ନିକଟରେ ପୂର୍ବତନ ସାଂସଦ ଏମ୍ ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକି ଓ ଛାତ୍ର ନେତା ହରିଶଙ୍କର ରାଉତ ଦଳ ଛାଡ଼ିଛନ୍ତି ।