ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାରମ୍ବାର ତାଗିଦ ସତ୍ୱେ ନିଜ ହରକତରୁ ବାଦ ଆସୁ ନାହାଁନ୍ତି ପୋଲିସ ବାବୁ । ନିଜ ଖାକି ପୋଷାକ ବଳରେ ଦେଖାଉଛନ୍ତି ଗରମ । ବାଲେଶ୍ୱର ଜିଲ୍ଲା ଭୋଗରାଇ ପୋଲିସ ଦେଖାଇଛି ଦବଙ୍ଗଗିରି । ମାମଲା ରୁଜୁ ନ କରି ଜଣେ ବ୍ୟକ୍ତିଙ୍କୁ ଅତି ଅମାନବିକ ଭାବେ ହାତ ଏବଂ ଗୋଡ଼ରେ ବେଡ଼ି ପକାଇ ରଖିଛି । ଶେଷରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ ବ୍ୟକ୍ତି ମୁକୁଳିଛନ୍ତି ।
ସୂଚନା ଅନୁଯାୟୀ, ଏକ ମଟର ସାଇକେଲ ଅଦଳବଦଳକୁ କେନ୍ଦ୍ର କରି ଭୋଗରାଇ ଥାନା ଅଧିନସ୍ଥ ବାରବାଟିଆ ଗ୍ରାମର ଜୟନ୍ତୀ ରଥ ଏବଂ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏ ନେଇ ଜୟନ୍ତୀ ରଥ ଭୋଗରାଇ ଥାନାରେ ଅଭିଯୋଗ କ୍ରମେ ପୋଲିସ କାର୍ତ୍ତିକ ଭୋଳଙ୍କୁ ଉଠାଇ ଆଣିଥିଲା । ଦୁଇ ଦିନ ଧରି ଯୁବକଙ୍କ ହାତ ଏବଂ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ପୋଲିସ ନିର୍ଯ୍ୟାତନା ଦେଇଥିବା ନେଇ ତାଙ୍କ ପତ୍ନୀ ଭୋଗରାଇ ବିଜେପି ନେତା ଆଶିଷ ପାତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ । ଘଟଣାରେ ପୋଲିସ ମାମଲା ରୁଜୁ କରି ନଥିବା ମଧ୍ୟ ଜଣାପଡ଼ିଛି । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ଗସ୍ତରେ ଥିବାବେଳେ ଏ ନେଇ ଆଶିଷ ପାତ୍ର ଅବଗତ କରାଇଥିଲେ । ଶେଷରେ ସାଂସଦ ଉକ୍ତ ମାମଲାରେ ହସ୍ତକ୍ଷେପ କରିଛନ୍ତି ।
ସାଂସଦ ନିଜେ ଭୋଗରାଇ ଥାନାକୁ ଆସି ପ୍ରଥମେ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ବାଲେଶ୍ୱର ଏସ୍ପିଙ୍କୁ ଭିଡ଼ିଓ କଲ୍ କରି ଯୁବକଙ୍କ ହାତ ଗୋଡ଼ ବନ୍ଧା ଥିବା ଦେଖାଇଥିଲେ । ଥାନା କର୍ମଚାରୀ ଅଟକ ଯୁବକଙ୍କୁ ପ୍ରବଳ ମାଡ଼ ମାରିଥିବା ସାଂସଦ ପାଖରେ ଯୁବକ ଜଣକ ଅଭିଯୋଗ କରିଛନ୍ତି । ଭୋଗରାଇ ଥାନାର ଅଧିକାରୀ ବ୍ଲଲଭ ସାହୁ ଏସ୍ପିଙ୍କ ସହିତ କଥା ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷେର ସାଂସଦ ପ୍ରତାପ ଷଡ଼ଙ୍ଗୀ ଘଟଣା ତୀବ୍ର ନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ତେବେ ଥାନାରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଏଭଳି ବେଡ଼ି ପକାଯାଇଛି ବୋଲି ଥାନା ଅଧିକାରୀ ସଫେଇ ଦେଇଛନ୍ତି ।