ଭୁବନେଶ୍ୱର: ସମ୍ବଲପୁର ଚିପିଲିମାଠାରେ ଚାରୋଟି କୃଷି ସମ୍ପର୍କିତ କଲେଜ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ଏହି କଲେଜ ଗୁଡ଼ିକ ହେଉଛି ପଶୁ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ, ଦୁଗ୍ଧ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ, ମତ୍ସ୍ୟ ମହାବିଦ୍ୟାଳୟ ଏବଂ କୃଷି-ବ୍ୟବସାୟ ପରିଚାଳନା ମହାବିଦ୍ୟାଳୟ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ଧର୍ମେନ୍ଦ୍ର ।
କୃଷିଭିତ୍ତିକ କଲେଜ ନିର୍ମାଣ ପାଇଁ ଚିପିଲିମାଠାରେ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) ପାଖରେ ପୂର୍ବରୁ ଥିବା ଜମି, କିଛି ଶିକ୍ଷାଗତ ଓ ଗବେଷଣା ଭିତ୍ତିଭୂମି ଏବଂ ଆନୁଷଙ୍ଗିକ ସୁବିଧା ରହିଛି । ଏହା ସହିତ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ ପାଖରେ ଅବ୍ୟବହୃତ ଜମି ଅଛି । ଯାହାକୁ ଏଥିରେ ବ୍ୟବାହାର କରାଯାଇପାରିବ । ଏହା ଦ୍ୱାରା ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ ବୈଷୟିକ ଏବଂ ଉଦ୍ୟୋଗୀ କ୍ଷମତା ସୃଷ୍ଟି ହେବା ସହ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଚାଷୀମାନଙ୍କ ପାଇଁ କ୍ଷେତ୍ର-ନିର୍ଦ୍ଦିଷ୍ଟ ଗବେଷଣା ଏବଂ ସମ୍ପ୍ରସାରଣ ସେବା ମଧ୍ୟ ସୁନିଶ୍ଚିତ ହେବ । ସେହିପରି ଗ୍ରାମୀଣ ଯୁବକମାନଙ୍କୁ ନୂତନ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବାରେ ବହୁତ ସାହାଯ୍ୟ କରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।