ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପରେ ଆସନ୍ତାକାଲିଠାରୁ ରାଜ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିବାକୁ ଯାଉଛି । ବର୍ତ୍ତମାନ ରାଜ୍ୟରେ ଜଳ ଜନିତ ରୋଗ ବ୍ୟାପିଥିବାରୁ ବିଦ୍ୟାଳୟରେ ସ୍ୱଚ୍ଛତା ଉପରେ ଗଣଶିକ୍ଷା ବିଭାଗ ବିଶେଷ ଧ୍ୟାନ ଦେଇଛି । ପରିଷ୍କାର ପରିଚ୍ଛନତା ନେଇ ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଲିନୀ ପଣ୍ଡିତ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଗୁରୁବାର ଚିଠି ଲେଖିଛନ୍ତି ।
ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଖୋଲିବା ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବେ । ବିଦ୍ୟାଳୟ ଏବଂ ଛାତ୍ରାବାସରେ ଶ୍ରେଣୀଗୃହ, କାର୍ଯ୍ୟାଳୟ କୋଠରୀ, ପରୀକ୍ଷାଗାର, ପାଠାଗାର, ଶୌଚାଳୟ ଏବଂ ସ୍ନାନାଗାର, ହଷ୍ଟେଲ କୋଠରୀ, ଶୌଚାଳୟ ଏବଂ ସ୍ନାନାଗାର, ରୋଷେଇ ଘର, ଭୋଜନାଳୟ, ଷ୍ଟୋର ରୁମ ଇତ୍ୟାଦି ପରିଷ୍କାର କରାଯାଇଛି କି ନାହିଁ ସେଥିପ୍ରତି ଧ୍ୟାନ ଦେବେ । ସେହିପରି ପାଣି ଟାଙ୍କି, ପାଣି ରଖିବା ପାତ୍ର, ବିଦ୍ୟାଳୟ ନିକଟରେ ରାସ୍ତା ଏବଂ ଡ୍ରେନ ଗୁଡ଼ିକ ଯେପରି ପରିଷ୍କାର ଏବଂ ଜୀବାଣୁ ମୁକ୍ତ କରାଯିବ । ପିଲାମାନଙ୍କୁ ଉତ୍ତମ ମାନର ଭାତ, ଖାଦ୍ୟ, ଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବେ । ସ୍କୁଲ ଏବଂ ଛାତ୍ରାବାସ ପରିସରକୁ ସଫା ରଖିବା ଏବଂ ସମସ୍ତ ଗଛଲତା, ଘାସ, ଏବଂ ଶୁଖିଲା ଗଛର ଡାଳ ଇତ୍ୟାଦିକୁ ହଟାଇବେ । ସେହିପରି ମଶା ବଂଶ ବୃଦ୍ଧି କରୁଥିବା ସ୍ଥାନଗୁଡ଼ିକରେ ପାଣି ଜମୁଥିବା ବର୍ଜ୍ୟବସ୍ତୁ ଏବଂ ଭଗ୍ନାବଶେଷକୁ ହଟାଇବେ ।