ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ସପ୍ତମ ଦିନରେ ପହଞ୍ଚିଛି । ଏହା ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏକ ବଡ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ଇରାନର ଆଣବିକ ପ୍ରତିଷ୍ଠାନ ଉପରେ ଆକ୍ରମଣରେ ସବୁ ପ୍ରକାରର ସାହାଯ୍ୟକୁ ଆମେ ସ୍ୱାଗତ କରିବୁ । ଯୁଦ୍ଧରେ ସିଧାସଳଖ ଏଣ୍ଟ୍ରି କରିବାକୁ ନେତନ୍ୟାହୁ ଆମେରିକାକୁ ଆମନ୍ତ୍ରଣ କରିଛନ୍ତି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କହିଥିଲେ ଯେ, ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକା ସିଧାସଳଖ ଓହ୍ଲାଇ ନାହିଁ । ଏପରିକି ନେତନ୍ୟାହୁ ଦାବି କରିଛନ୍ତି ଯେ, ତାଙ୍କ ସେନା ଏ ପର୍ଯ୍ୟନ୍ତ ଇରାନର ୫୦ ପ୍ରତିଶତରୁ ଅଧିକ ମିସାଇଲ ନଷ୍ଟ କରି ସାରିଛନ୍ତି ।
ଇସ୍ରାଏଲର ପବ୍ଲିକ ପୋଡକାଷ୍ଟର କନକୁ ଦେଇଥିବା ସାକ୍ଷାତକାରରେ ନେତନ୍ୟାହୁ କହିଛନ୍ତି ଯେ, ମୁଁ ପୂର୍ବରୁ କହିଥିଲି ଯେ, ଆମେ ମଧ୍ୟପ୍ରାଚ୍ୟର ଚେହେରାରେ ପରିବର୍ତ୍ତନ ଆଣୁଛୁ । ଏବେ ମୁଁ କହିବାକୁ ଚାହୁଁଛି ଯେ, ଆମେ ପୁରା ଦୁନିଆର ଚେହେରା ବଦଳାଉଛୁ । ଇସ୍ରାଏଲ ପାଖରେ ଇରାନର ସମସ୍ତ ପରମାଣୁ କେନ୍ଦ୍ରକୁ ଧ୍ୱଂସ କରିବାର ପୂରା କ୍ଷମତା ରଖିଛି । ମାତ୍ର ଆମେ କୌଣସି ପ୍ରକାରର ସହଯୋଗୀଙ୍କ ସମର୍ଥନକୁ ସ୍ୱାଗତ କରିବୁ । ଯଦି କିଏ ଆମର ସାହାଯ୍ୟ କରିବାକୁ ଚାହୁଁଛି ସେ ଆମେରିକା ହେଉ କି ଅନ୍ୟ କୌଣସି ଦେଶ ଆମେ ସ୍ୱାଗତ କରିବୁ ।
ଗୁରୁବାର ଭୋର ସକାଳେ ଇରାନର ଏକ ମିସାଇଲ ଦକ୍ଷିଣ ଇସ୍ରାଏଲର ମୁଖ୍ୟ ହସ୍ପିଟାଲ ଉପରେ ଖସିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଯାଉଛି । ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଇସ୍ରାଏଲ ମିିଡିଆ ହସ୍ପିଟାଲ ଉପରେ ମିସାଇଲ ପଡିବା ପରର ଦୃଶ୍ୟ ସେୟାର କରିଛନ୍ତି । ଇରାନ ତେଲ ଅଭିଭରେ ଏକ ଉଚ୍ଚ ଅଟ୍ଟାଣିକା ଉପରେ ହମଲା କରିଛି । ଏହି ଅନୁସାରେ, ହମଲାରେ ଅତି କମରେ ୪୦ ଜଣ ଆହତ ହୋଇଛନ୍ତି ।