ଭୁବନେଶ୍ୱର: ରାଜ୍ୟରେ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଜନତା ମୈଦାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ । ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମାଜିଷ୍ଟେରିଆଲ୍ କୋର୍ଟକୁ ଦ୍ୱିତୀୟାର୍ଦ୍ଧ ସମୟରେ ଛୁଟି ଘୋଷଣା କରାଯାଇଛି । ଭିଡ଼ ଓ ଟ୍ରାଫିକ ସମସ୍ୟା ଆଶଙ୍କାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରଥମାର୍ଦ୍ଧରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ଭିଡ଼ ପାଇଁ ଟ୍ୱିନ ସିଟିରେ ଥିବା ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ସେଣ୍ଟ୍ରାଲ୍ ଆର୍ମ ଫୋର୍ସ ଓ ସ୍ବତନ୍ତ୍ର ଏଜେନ୍ସି ମୁତୟନ କରାଯାଇଛି । ବିମାନ ବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥା କଟକଣା କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି ।