ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି ଦୁଇ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ । ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳର ବହୁ ବରିଷ୍ଠ ନେତା ଦିନିକିଆ ଅନଶନ କରିଛନ୍ତି । ନେତୃବୃନ୍ଦମାନେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନ ସମ୍ମୁଖରେ ଅନଶନରେ ବସିଛନ୍ତି । ମହିଳା ସୁରକ୍ଷାକୁ କେନ୍ଦ୍ର କରି କଂଗ୍ରେସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛି ।
ଏହି ଅନଶନରେ ପୂର୍ବତନ ବିଧାୟକ ସୁର ରାଉତରାୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ଜୟଦେବ ଜେନାଙ୍କ ଭଳି ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ବୋଲି କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ କର୍ମୀମାନେ ଅନଶନ କରିଛନ୍ତି । ସକାଳ ୯ଟା ରୁ ସନ୍ଧ୍ୟା ୫ ଟା ଯାଏ ଏହି ଅନଶନ ଚାଲିବ ।
ସେପଟେ ଅନଶନ ସ୍ଥଳକୁ ଆସିଥିବା ୧୦ ରୁ ୧୫ଜଣ କଂଗ୍ରେସ କର୍ମୀଙ୍କୁ ଅଧା ରାସ୍ତାରୁ ଉଠାଇ ନେଇଛି ପୋଲିସ । ତେବେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ କରୁଥିବାବେଳେ କିଛି କର୍ମୀଙ୍କୁ ପୋଲିସ ଅଟକ ରଖିଥିଲା ।