ଭୁବନେଶ୍ୱର : ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ପରଲୋକ ଘଟିଛି । ଗୁରୁବାର ରାତି ପ୍ରାୟ ୧୧ଟାରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ନିରଞ୍ଜନ ରଥ ଏକାଧାରରେ ଜଣେ ସମାଜସେବୀ, ଲେଖକ, ସାମ୍ବାଦିକ ଭାବେ ପରିଚିତ ଥିଲେ । ‘ସମାଜ’ ଖବରକାଗଜର ପୂର୍ବତନ ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଥିଲେ ନିରଞ୍ଜନ ରଥ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।
ସ୍ୱର୍ଗତ ରଥ ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ ।
ସ୍ଵର୍ଗତ ନିରଞ୍ଜନ ରଥ କଟକ ଜିଲ୍ଲା ଆଠଗଡ଼ର ଏକ ପ୍ରତିଷ୍ଠିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତା ପଣ୍ଡିତ ଚନ୍ଦ୍ରଶେଖର ରଥ ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କର ସେ ପଞ୍ଚମ ସନ୍ତାନ ଥିଲେ । ପାଞ୍ଚ ଭାଇ, ଦୁଇ ଭଉଣୀଙ୍କ ମଧ୍ୟରେ ସେ ଥିଲେ ପରିବାରର ପଞ୍ଚମ ସନ୍ତାନ । ସେ ଅବିବାହିତ ରହିଥିଲେ ।
ଆଇନ୍ରେ ଡିଗ୍ରୀ ସହିତ ଇଂରାଜୀ ସାହିତ୍ୟରେ ଏମ୍ଏ ପାସ୍ କରିବା ପରେ ସେ ସାମ୍ବାଦିକତା ଓ ଓକିଲାତି କରିବା ସହିତ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସେ ସଂସ୍ଥାପକ ଓ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ ।
ସେ ‘ସମାଜ’ର ସମ୍ପାଦକ, ମୁଦ୍ରାକର ଓ ପ୍ରକାଶକ, ଜିମ୍ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ । ସେ ମଧ୍ୟ ଲୋକସେବକ ମଣ୍ଡଳର ଉପସଭାପତି, କୋଷାଧ୍ୟକ୍ଷ, ସମ୍ପାଦକ ଭାବେ କାମ କରି ବେଶ୍ ସୁନାମ ଅର୍ଜନ କରିଥିଲେ । ଏବେ ନିକଟରେ ସେ ଦ୍ୱିତୀୟଥର ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ ।
ତାଙ୍କ ପାର୍ଥିବ ଶରୀରକୁ ଶୁକ୍ରବାର ସକାଳୁ ଆଠଗଡ଼ସ୍ଥିତ ତାଙ୍କ ପୈତୃକ ଗ୍ରାମ ରାଧାନାଥପୁର ଶାସନକୁ ନିଆଯାଇଛି । ସେଠାରୁ ମୃତ ଦେହକୁ ଗୋପବନ୍ଧୁ ଆୟୂର୍ବିଜ୍ଞାନ ପ୍ରତିଷ୍ଠାନ ଏବଂ ସମାଜ କାର୍ଯ୍ୟାଳୟ ଗୋପବନ୍ଧୁ ଭବନକୁ ଅଣାଯିବ । ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।