କଟକ: କଟକ ବକ୍ସିବଜାର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। । ପୈତୃକ ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କରିଥିଲା ଭାଇ। ହତ୍ୟାକାଣ୍ଡରେ ୪ ଜଣ ସମ୍ପୃକ୍ତ ଥିବାବେଳେ ,ଜଣେ ମହିଳାଙ୍କ ସହ ତିନି ଅଭିଯକ୍ତଙ୍କୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ପୋଲିସ। ସମ୍ପତି ଲୋଭ ଓ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିଲା ବୋଲି କଟକ ଡିସିପି କହିଛନ୍ତି। ମୃତକଙ୍କ ଭାଇ, ଭାଉଜ ଓ ପୁତୁରା ମିଶି ଏହି ହତ୍ୟାକାଣ୍ଡ କରିଛନ୍ତି ।
ସୂଚନା ମୁତାବିକ ମଙ୍ଗଳବାର ରାତିାରେ ବାଦାମବାଡ଼ି ଶଙ୍କରପୁରର ଅଶୋକ ବାରିକଙ୍କ ମୃତଦେହ ବକ୍ସି ବଜାର ମାର୍କେଟ କମ୍ପ୍ଲେକ୍ସରୁ ମିଳିଥିଲା । ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । କମିଶନରେଟ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ଘଟଣାରେ ପୋଲିସ ୩ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ମୃତକ ଅଶୋକ ବାରିକଙ୍କ ସାନ ଭାଇ ଉମେଶ ବାରିକ, ବଡ଼ ଭାଉଜ ସରସ୍ୱତୀ ସ୍ୱାଇଁ ଓ ପୁତୁରା ସ୍ୱୟଂପ୍ରଭୁ ଶ୍ରୀଚରଣ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ୪ ଜଣ ସମ୍ପୃକ୍ତ ଥିଲେ ।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ, ହତ୍ୟାରେ ବ୍ୟବହୃତ ହୋଇଥିବା ଏକ କଟୁରୀ ଜବତ କରିଛି। ଏହି ଘଟଣାରେ ଜଣେ ଭାଇ ଫେରାର ଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କଟକ ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।