କଳାହାଣ୍ଡି: ଲାଞ୍ଚ ନେଇ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ଉଚ୍ଚ ଅଦାଲତଙ୍କ ନିକଟରେ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ନିମ୍ନ ଅଦାଲତରୁ ନିରାଶ ହେବା ପରେ ସେ ହାଇକୋର୍ଟ ଯାଇଛନ୍ତି ।
ଗତ ୮ ତାରିଖରେ ଆଇଏଏସ୍ ଧୀମାନ୍ ଚକମା ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ । ତାଙ୍କ ବାସଭବନରେ ଚଢ଼ାଉ କରାଯିବା ପରେ ୪୭ ଲକ୍ଷ ୪୭ ହଜାର ୬୦୦ ନଗଦ ଟଙ୍କା ମିଳିଥିଲା । ସେହିପରି ଧର୍ମଗଡ଼ କାର୍ଯ୍ୟାଳୟରେ ମଧ୍ୟ ତଲାସୀ କରାଯାଇଥିଲା । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି । ଏହା ପରେ ଜୁନ ୯ ତାରିଖରେ ଉପଜିଲ୍ଲାପାଳଙ୍କୁ ଗିରଫ କରାଯାଇଛି । ଗତକାଲି ଚକମାଙ୍କ ଓକିଲ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଥିଲେ । ବିଚାରପତି ବଦ୍ରି ନାରାୟଣ ନନ୍ଦ ଜାମିନ ଆବେଦନ ଶୁଣାଣି କରି ନାମଞ୍ଜୁର କରିଥିଲେ । ଏହାପରେ ସେ ହାଇକୋର୍ଟଙ୍କ ନିକଟରେ ଗୁହାରୀ କରିଛନ୍ତି ।
୨୦୧୧ ବ୍ୟାଚ୍ ଆଇଏଏସ୍ ଧୀମାନ୍ ତ୍ରିପୁରାର ମୂଳ ବାସିନ୍ଦା ଅଟନ୍ତି । ତାଙ୍କ ବାପା ଜଣେ ଶିକ୍ଷକ ଅଟନ୍ତି । ସେ ଅଗରତାଲା ଏନ୍ଆଇଟିରୁ କମ୍ପ୍ୟୁଟର୍ ସାଇନ୍ସରେ ଡ୍ରିଗ୍ରି ହାସଲ କରିଛନ୍ତି ।