ରାୟଗଡ଼ା: ଦୁନିଆ ଯେତେ ବଦଳୁଥିଲେ ମଧ୍ୟ ଲୋକଙ୍କ ମାନସିକତାରେ ହେଉ ନାହିଁ ପରିବର୍ତ୍ତନ । ଏବେବି ବଞ୍ଚିଛି ଅନ୍ଧ ବିଶ୍ୱାସ ଓ ଜାତିଆଣ ଭେଦଭାବ ଭଳି କୁପ୍ରଥା । ଝିଅ ଅନ୍ୟଜାତିରେ ବିବାହ କଲା ବୋଲି ଶୁଦ୍ଧି ହୋଇଛି ପୂରା ସମାଜ । ଜାତିପ୍ରଥାର ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗ୍ରାମରେ ।
ବାଇଗଣଗୁଡ଼ା ଗ୍ରାମର ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ କରୁଥିଲେ । କିନ୍ତୁ ପରିବାର ଲୋକ ଉଭୟଙ୍କ ବିବାହରେ ସମ୍ମତି ପ୍ରକାଶ କରୁ ନଥିଲେ । ପରବର୍ତ୍ତୀ ସମୟରେ ପରିବାରବର୍ଗଙ୍କ ବିନା ସହମତିରେ ଉଭୟ ପୁଅ ଝିଅ ବିବାହ କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଝିଅର ପରିବାର ଲୋକଙ୍କୁ ଶୁଦ୍ଧି ହେବାକୁ ପରାମର୍ଶ ଦିଆଯାଇଥିଲା । ପରିବାରବର୍ଗଙ୍କୁ ପରମ୍ପରା ଅନୁଯାୟୀ ପଶୁ ବଳି ଦେବା ସହିତ ଲଣ୍ଡା ହୋଇ ଶୁଦ୍ଧି ହେବାକୁ କହିଥିଲେ ଗ୍ରାମବାସୀ । ଫଳରେ ପରିବାର ଲୋକ ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ଶୁଦ୍ଧି ହୋଇଥିଲେ । ଏହି କାର୍ଯ୍ୟ କରିବା ପାଇଁ ପରିବାରବର୍ଗଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା ।
ତେବେ ଏନେଇ ଉପଜିଲ୍ଲାପାଳ ଖବର ପାଇବା ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କାଶୀପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଡ଼ିଓ ଗାଁକୁ ଏକ ଟିମ୍ ପଠାଇ ଘଟଣାର ଯାଞ୍ଚ କରିଛନ୍ତି । ଝିଅର ପରିବାର ବର୍ଗ ନିଜସ୍ଵ ଇଚ୍ଛାରେ ଏଭଳି କରିଥିବା ବେଳେ ତାଙ୍କୁ କେହି ବାଧ୍ୟ କରିନାହାଁନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।